ଭାରତରେ ପରୀକ୍ଷଣ ଜାରି ରଖିବା ନେଇ ସେରମ ଇନଷ୍ଟିଚ୍ୟୁଟର ଘୋଷଣା ପରେ ବିବାଦ : ସେରମ ଇନଷ୍ଟିଚ୍ୟୁଟକୁ ନୋଟିସ୍ ; କାରଣ ଦର୍ଶାଅ ନୋଟିସ୍ ଜାରି କଲା ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ୍

313

କନକ ବ୍ୟୁରୋ : ଭାରତରେ ଅକ୍ସଫୋର୍ଡ ଟିକାର ପରୀକ୍ଷଣ ଚାଲିବ । ଏନେଇ ସୂଚନା ଦେଇଛି ସେରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ । ଭାରତର ଡ୍ରଗ୍ସ କଂଟ୍ରୋଲର ଜେନେରାଲ ସେରମ୍ ଇନଷ୍ଟିଚ୍ୟୁଟକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି । ରୋଗୀଙ୍କ ସୁରକ୍ଷା ନିଶ୍ଚିନ୍ତ ନ ହେବା ପର୍ଯ୍ୟନ୍ତ କାହିଁକି ଭାରତରେ ମାନବ ପରୀକ୍ଷଣ ପାଇଁ ଦିଆଯାଇଥିବା ଅନୁମତିକୁ ସ୍ଥଗିତ ରଖାନଯିବ, ଏନେଇ ସେରମ୍ ଇନଷ୍ଟିଚ୍ୟୁଟକୁ ନୋଟିସ ଜାରି କରିଛନ୍ତି ଡିସିଜିଆଇ ଡକ୍ଟର ଭିଜି ସୋମାନି । ବିଟ୍ରେନ୍ରେ ଜଣେ ଟିକା ନେଇଥିବା ସ୍ୱେଚ୍ଛାସେବୀ ଅସୁସ୍ଥ ହୋଇ ପଡିଥିବାରୁ କ୍ଲିନିକାଲ୍ ପରୀକ୍ଷଣକୁ ସ୍ଥଗିତ ରଖାଯାଇଛି । ବିଟ୍ରେନ, ଆମେରିକା, ବ୍ରାଜିଲ୍ ଓ ଦକ୍ଷିଣ ଆଫ୍ରିକାରେ ଶେଷ ପର୍ଯ୍ୟାୟ ପରୀକ୍ଷଣକୁ ସ୍ଥଗିତ ରଖିଛି ଆଷ୍ଟ୍ରା-ଜେନିକା । ଏନେଇ ସେରମ୍ ଇନଷ୍ଟିଚ୍ୟୁଟ କାହିଁକି ସୂଚନା ଦେଇନାହିଁ ବୋଲି ପ୍ରଶ୍ନ କରିଛି ଡ୍ରଗ୍ସ କଂଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ।

ନୋଟିସରେ କୁହାଯାଇଛି, ରୋଗୀଙ୍କ ସୁରକ୍ଷା ନିଶ୍ଚିନ୍ତ ନ ହେବା ପର୍ଯ୍ୟନ୍ତ ଅଗଷ୍ଟ ୨ରେ ଦିଆ ଯାଇଥିବା ଅନୁମତିକୁ କାହିଁକି ସ୍ଥଗିତ ରଖାନଯିବ । ଏନେଇ ତୁରନ୍ତ ଜବାବ ଦେବାକୁ ସେରମ୍ ଇନଷ୍ଟିଚ୍ୟୁଟକୁ କହିଛି ଡିସିଜିଆଇ । ତେବେ ବ୍ରିଟେନ୍ରେ ଶେଷ ପର୍ଯ୍ୟାୟରେ ପରୀକ୍ଷଣ ଚାଲିଥିବା ବେଳେ ପରୀକ୍ଷଣକୁ ସ୍ଥଗିତ ରଖିଛି ଆଷ୍ଟ୍ରାଜେନିକା । ପରୀକ୍ଷଣରେ ସାମିଲ ହୋଇଥିବା ଜଣେ ବ୍ୟକ୍ତି ଟିକା ନେବା ପରେ ଅସୁସ୍ଥ ହୋଇ ପଡିବାରୁ ସ୍ଥଗିତ ରଖାଯାଇଛି ପରୀକ୍ଷଣ ।