ବିଧାନସଭା ବାହାରେ ବିଚିତ୍ର ଦୃଶ୍ୟ । ନବୀନ ନିବାସ ଅଭିମୁଖେ ବିଜେପି ବିଧାୟକ, ଶଙ୍ଖ ଧରି ସ୍ୱାଗତ କରିବାକୁ ବିଜେଡି ବିଧାୟକ ପ୍ରସ୍ତୁତ ।

271

କନକ ବ୍ୟୁରୋ : ବିଧାନସଭାର ଅଚଳାବସ୍ଥାକୁ ନେଇ ତେଜିଛି ରାଜନୀତି । ଷଷ୍ଠ ଦିନ ବିଧାନସଭା ବାରମ୍ବାର ମୁଲତବି ପରେ ନବୀନ ନିବାସ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ବିଜେପି ଟିମ୍ ।  ବିଜେପି ବିଧାୟକ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ନବୀନ ନିବାସ ଯାତ୍ରା କରିଥିବା ବେଳେ ବିଜେଡି ମଧ୍ୟ ତତ୍ପର ହୋଇ ଉଠିଛି । ବିଜେପି ଟିମକୁ ସ୍ୱାଗତ କରିବାକୁ ବିଜେଡି ବିଧାୟକ ମାନେ ନବୀନ ନିବାସରେ ପହଞ୍ଚିଛନ୍ତି । ଏପରିକି କିଛି ବିଧାୟକ ବିଜେପି ଟିମକୁ ସାଥୀରେ ଆସୁଛନ୍ତି । ବିଜେଡିର ବରିଷ୍ଠ ବିଧାୟକ, ଦଳର ମହିଳା ୱିଙ୍ଗ ଶଙ୍ଖ ଓ ଫୁଲ ଧରି ବିଜେପି ବିଧାୟକଙ୍କୁ ସ୍ୱାଗତ କରିବାକୁ ନବୀନ ନିବାସ ସାମ୍ନାରେ ଏକାଠି ହୋଇଛନ୍ତି ।

ନବୀନ ନିବାସକୁ ଯାତ୍ରା କରିବା ସହ ବିଜେପି କହିଛି ଯେ,  ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମକୁ ନବୀନ ଯାଉଛନ୍ତି କିନ୍ତୁ ବିଧାନସଭାକୁ କାହିଁକି ମୁଖ୍ୟମନ୍ତ୍ରୀ ଆସୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି । ଏପରିକି ମୁଖ୍ୟମନ୍ତ୍ରୀ ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗରେ ବିବୃତି ରଖନ୍ତୁ ବୋଲି ଦାବି କରିଛି ବିଜେପି । ନବୀନଙ୍କୁ ଆମେ ଖୋଜି ଖୋଜି ଯାଉଛୁ ବୋଲି କହିଛନ୍ତି ବିଜେପି ବିଧାୟକ । ଆଉ ଏହାର ଜବାବ ରଖିଛି ବିଜେଡି । ବରିଷ୍ଠ ବିଧାୟକ ପ୍ରଣବ ପ୍ରକାଶ ଦାସ କହିଛନ୍ତି, ସୁବାସ ପାଣିଗ୍ରାହୀ କ୍ଷମା ମାଗନ୍ତୁ । ତାପରେ ବିଧାନସଭା କିଭଳି ସ୍ୱାଭାବିକ ଭାବେ ଚାଲିବ ସେନେଇ ଆଲୋଚନା ହେବ ।

ଏସବୁ ଭିତରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କହିଛନ୍ତି, ପ୍ରଥମେ ଚାଷୀଙ୍କ ଧାନ ଉଠୁ ତାପରେ ମୁଁ କ୍ଷମା ମାଗିବା ପାଇଁ ପ୍ରସ୍ତୁତ । ମୁଖ୍ୟମନ୍ତ୍ରୀ ଏ ପ୍ରସଙ୍ଗରେ ଆସି ଗୃହରେ ବିବୃତି ରଖନ୍ତୁ ବୋଲି କହିଛନ୍ତି ସୁବାସ । ସେହିଭଳି ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ବିଜେପି ବିଧାୟକ ଯେଉଁ ପାପ କରିଛନ୍ତି ସେମାନେ ନବୀନ ନିବାସ ଆସିଲେ ସେହି ପାପ ଧୋଇଯିବ ।