ସ୍ୱାସ୍ଥ୍ୟ ସେବାର ବିଗିଡାଚିତ୍ର । ଔଷଧ ଦୋକାନ ବାରଣ୍ଡାରେ ଶୋଇ ସାଲାଇନ ନେଲେ ରୋଗୀ, ଡାକ୍ତରଖାନାରେ ଡାକ୍ତରନଥିବାରୁ ଔଷଧ ଦୋକାନୀ ସାଜିଲେ ଚିକିତ୍ସକ

258

କନକ ବ୍ୟୁରୋ : ରାସ୍ତା କଡରେ ରୋଗୀଙ୍କୁ ସାଲାଇନ । ସ୍ୱାସ୍ଥ୍ୟସେବାର ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି କେନ୍ଦୁଝର ତେଲକୋଇ ବଜାରରେ । ରାସ୍ତା କଡ ଦୋକାନ ବାରଣ୍ଡାରେ ରୋଗୀଙ୍କୁ ଦିଆଯାଉଛି ସାଲାଇନ । ଦଉଡିରେ ଝୁଲାଇ ଦିଆଯାଇଛି ସାଲାଇନ ବୋତଲ । ତଳେ ପଡିଥିବା ବେଂଚ ଉପରେ ଶୋଇଛନ୍ତି ରୋଗୀ । ଗତ ଗୁରୁବାର ଦିନ କମଳାଙ୍ଗ ଗାଁର ନବ ମୁଣ୍ଡା ଅସୁସ୍ଥ ଥିବାରୁ ତେଲକୋଇ ଆସିଥିଲେ । ଡାକ୍ତରଖାନାରେ ଡାକ୍ତର ନଥିବାରୁ ଚିକିତ୍ସା ହୋଇପାରିନଥିଲା । ଶେଷରେ ସେ ନିକଟସ୍ଥ ଦୋକାନରୁ ଔଷଧ ନେଇଥିଲେ ।

ସଂପୃକ୍ତ ଦୋକାନୀ ରୋଗୀଙ୍କୁ ଦୋକାନ ପିଣ୍ଡାରେ ଶୁଆଇ ସାଲାଇନ ଦେଇଥିଲେ । ଦୀର୍ଘ ସମୟ ଧରି ଏଭଳି ଚିକିତ୍ସା ଚାଲିଥିଲା । ତେବେ ଏପରି ଘଟଣାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି । ସାଲାଇନ ଯେପରି ଅସ୍ୱାଭାବିକ ପରିସ୍ଥିତିରେ ଦିଆଯାଉଛି ସେହି ଦୃଶ୍ୟ ହିଁ ବୟାନ କରୁଛି କି କେମିତି ଚାଲିଥିଲା ସ୍ୱାସ୍ଥ୍ୟ ସେବା । ମିଳିଥିବା ସୂଚନା ଅନୁସାରେ, ସମ୍ପୃକ୍ତ ବ୍ୟକ୍ତି ଜଣକଙ୍କର ଦେହ ଖରାପ ଥିବାରୁ ଚିକିତ୍ସା ପାଇଁ ମେଡିକାଲ ଆସିଥିଲେ । ହେଲେ କୌଣସି ଡାକ୍ତର ଡାକ୍ତରଖାନାରେ ନଥିଲେ । ତେଣୁ ଉପାୟ ଶୂନ୍ୟ ହୋଇ ପରିବାର ସମ୍ପର୍କୀୟମାନେ ନିକଟସ୍ଥ ଏକ ଔଷଧ ଦୋକାନକୁ ଚିକିତ୍ସା ପାଇଁ ନେଇଥିଲେ ।

ଆଉ ଦୋକାନୀ ଜଣକ ରୋଗୀଙ୍କୁ ପିଣ୍ଡାରେ ଶୁଆଇ ଦେଇ ସାଲାଇନ ଦେଇଥିଲେ । ଏହା ପୂର୍ବରୁ ବିନା ପ୍ରେସକ୍ରିପସନରେ ତେଲକୋଇ ଅଞ୍ଚଳରେ ଅନେକ ରୋଗୀ ଔଷଧ ଖାଇବା ପରେ ଅଧିକ ଗୁରୁତର ହୋଇପଡିଥିବାର ନଜର ରହିଛି । କେବଳ ଯେ, ଅଧିକ ଗୁରୁତର ହୋଇଛନ୍ତି ତାହା ନୁହେଁ ବରଂ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ମଧ୍ୟ ଆସିଥିବାର ନଜର ରହିଛି । କିନ୍ତୁ ବାରମ୍ବାର ଏପରି ଘଟଣା ଘଟୁଛି କିନ୍ତୁ ପ୍ରଶାସନିକ ଅଧିକାରୀମାନେ ଏ ଦିଗରେ କୌଣସି ପଦକ୍ଷେପ ନେଉଥିବାରୁ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ଦେଖାଯାଉଛି ।