ଆଜି ମହାକାଶରେ ପୃଥିବୀର ନିକଟତର ହେବ, ହେଲେ ଧକ୍କା ଦେବ ନାହିଁ ଗ୍ରହାଣୁ । ନାସାର ବୈଜ୍ଞାନିକ ଶୁଣାଇଲେ ଆଶ୍ୱସ୍ତି ବାଣୀ । କହିଲେ, ପୃଥିବୀ ଠାରୁ ବହୁ ଦୂରରେ ଅତିକ୍ରମ କରିବ ବିଶାଳ ଆଷ୍ଟ୍ରଏଡ୍ । 

2,024

କନକ ବ୍ୟୁରୋ: ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା- ନାସା ପୃଥିବୀ ଆଡକୁ ମାଡି ଆସୁଥିବା ଏକି ବିଶାଳ ପଥର ଖଣ୍ଡର ଗତିପଥ ନେଇ ଆକଳନ କରିଛି । ଏହି ମହାଜାଗତୀୟ ପିଣ୍ଡକୁ ୨୦୦୨ ଏନ୪ ନାମରେ ନାମିତ କରାଯାଇଛି ।  ନାସା ଅନୁସାରେ ଏହି ପିଣ୍ଡ ଶନିବାର ଦିନ ପୃଥିବୀ ନିକଟ ଦେଇ ଗତି କରିବ ।

ପୃଥିବୀ ସହ ଧକ୍କା ହେବ କି ଗ୍ରହାଣୁ? ସାଧାରଣରେ ଏନେଇ ଚର୍ଚା ହେଉଥିବା ବେଳେ ସେଭଳି କିଛି ସମ୍ଭାବନା ନାହିଁ ବୋଲି ସ୍ପଷ୍ଟ କରିଛି ନାସା । ଏହି ଗ୍ରହାଣୁ ପୃଥିବୀଠାରୁ ସବୁଠାରୁ ନିକଟତମ ଅବସ୍ଥାରେ ପ୍ରାୟ ୫୧ ଲକ୍ଷ କିଲୋମିଟର ଦୂରରେ ରହିବ ବୋଲି ନାସା ସୂଚନା ଦେଇଛି ।  ଏହି ଦୂରତା ପୃଥିବୀ  ଓ ଚନ୍ଦ୍ର ମଧ୍ୟରେ ଥିବା ଦୂରତାର ପ୍ରାୟ ୧୩ ଗୁଣ ଅଧିକ । ତେଣୁ ପୃଥିବୀ ପ୍ରତି କୌଣସି ଭୟ ନଥିବା ସ୍ପଷ୍ଟ ହୋଇଛି । ଏହା ଛଡା ଏହି ଗ୍ରହାଣୁର ଆକାର ୨୫୦ରୁ ୭୫୦ ମିଟର ବ୍ୟାସ ମଧ୍ୟରେ ରହିଛି ଏବଂ ଏହାକୁ ୨୦୦୨ ମସିହାରେ ଠାବ କରାଯାଇଥିଲା ।  ଜୁନ ମାସ ଏହି ପ୍ରଥମ ସପ୍ତାହରେ ୨୦୦୨ଏନ୪ ସମେତ ୫ଟି ଗ୍ରହାଣୁ ପୃଥିବୀ ନିକଟ ଦେଇ ଗତି କରିବ । ସେଥିମଧ୍ୟରୁ ଅନ୍ୟତମ ଗ୍ରହାଣୁ ହେଉଛି ୨୦୨୦କେଏ୬ ଏବଂ ଏହାର ବ୍ୟାସ ୧୨ମିଟରରୁ ୨୮ ମିଟର । କିନ୍ତୁ ଏହାକୁ ନେଇ ମଧ୍ୟ ପୃଥିବୀ ପ୍ରତି କୌଣସି ଭୟ ନାହିଁ ।

ଆଷ୍ଟ୍ରଏଡ୍ ବା ଗ୍ରହାଣୁ କଣ? ସୌର ଜଗତରେ ସୂର୍ଯ୍ୟ ଚାରିପଟେ ଗ୍ରହ ଓ ଉପଗ୍ରହ ଗୁଡିକ ଘୁରିଛନ୍ତି । ଠିକ ସେହିପରି ଛୋଟ ବଡ ବହୁ ପଥର ଖଣ୍ଡ ମଧ୍ୟ ଘୁରି ବୁଲୁଛନ୍ତି । ଏଗୁଡିକୁ ଆଷ୍ଟ୍ରଏଡ୍ ବା ଗ୍ରହାଣୁ କୁହାଯାଏ । ଏଗୁଡିକରେ ଧୂଳି ଓ ବରଫ ଭରି ରହିଥାଏ ।

ସୂର୍ଯ୍ୟକୁ ପରିକ୍ରମଣ ସମୟରେ ବେଳେ ବେଳେ ଗ୍ରହାଣୁ ପୃଥିବୀର ଅତି ନିକଟରେ ଆସିଯାଆନ୍ତି ଏବଂ ମାଧ୍ୟାକର୍ଷଣ ଶକ୍ତି ଯୋଗୁଁ ବାୟୁମଣ୍ଡଳରେ ପ୍ରବେଶ କରିଥାନ୍ତି । ଅଧିକାଂଶ ଗ୍ରହାଣୁ ବାୟୁମଣ୍ଡଳରେ ପ୍ରବେଶ କରିବା ସହ ଜଳି ପାଉଁଶ ହୋଇଯାଆନ୍ତି । ଆଷ୍ଟ୍ରଏଡ୍ ଆକାର ଅତି ବିଶାଳ ହୋଇଥିଲେ ତାହା ପୃଥିବୀ ପୃଷ୍ଠରେ ଧକ୍କା ହୋଇ ଅଘଟଣ ଘଟାଇବାର ଆଶଙ୍କା ରହିଥାଏ ।