କନକ ବ୍ୟୁରୋ : ଅସ୍ତରଙ୍ଗ ବେଳାଭୂମି ଏବେ ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଫଳରେ ପବିତ୍ର ପୀରଜାହାନିଆ ପୀଠ ଓ ବେଳାଭୂମିର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଆସୁଥିବା ପର୍ଯ୍ୟଟକ ଏବେ ବେଳାଭୂମି ଯିବାକୁ ଭୟ କରୁଛନ୍ତି। ସ୍ଥାନୀୟ ଅଞ୍ଚଳର କିଛି ଅସାମାଜିକ ଯୁବକ ସେଠାରେ ଦାଦାବଟି ମାଗିବାଠାରୁ ଆରମ୍ଭ କରି ବିଭିନ୍ନ ଅପରାଧିକ ଘଟଣା ଘଟାଇବା ସହ ଆତଙ୍କ ରାଜ ଚଳାଇଛନ୍ତି। ଏପରିକି ସେଠାକୁ ବୁଲିବାକୁ ଆସୁଥିବା ମହିଳା ଓ ଯୁବତୀମାନଙ୍କୁ କମେଣ୍ଟ୍ ମାରିବା ସହ ଅସଦାଚରଣ କରୁଥିବା ଅଭିଯୋଗ ହୋଇଛି। ସେହିପରି ଅନେକ ସମୟରେ ସମୁଦ୍ରକୁ ସ୍ନାନ କରିବା ଯାଉଥିବା ପର୍ଯ୍ୟଟକମାନଙ୍କ ବ୍ୟାଗ୍ରୁ ଟଙ୍କା ପଇସା, ମୋବାଇଲ୍ ଫୋନ୍ ଓ ଅନ୍ୟ ଦରକାରୀ ଜିନିଷ ଲୁଟ୍ କରାଯାଉଥିବା ଅଭିଯୋଗ ହେଉଛି ।
Advertisment
publive-imageପୁଲିସ ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଉ ନ ଥିବା ବେଳେ ଚୋରା ନିଶା ବେପାରୀ ଏଠାରେ ଅନାୟସରେ ନିଶା କାରବାର କରୁଛନ୍ତି। ଫଳରେ ଏହା ଏବେ ନିଶା କାରବାରର ପେଣ୍ଠସ୍ଥଳୀ ପାଲଟିଛି। ବେଳାଭୂମିରେ ପର୍ଯ୍ୟଟକଙ୍କ ପାଇଁ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା କରାଯାଇ ନ ଥିବାରୁ ପ୍ରତିବର୍ଷ ସମୁଦ୍ରରେ ବୁଡ଼ି ବହୁ ଲୋକ ପ୍ରାଣ ହରାଉଛନ୍ତି। ବେଳାଭୂମିର ଏପରି ଅବସ୍ଥା ଯୋଗୁଁ ଏଠାକୁ ଆସୁଥିବା ପର୍ଯ୍ୟଟକ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। ଏ ନେଇ ବାରମ୍ବାର ଅଭିଯୋଗ କଲା ପରେ ବି ପ୍ରଶାସନ ନିରବଦ୍ରଷ୍ଟା ସାଜିଛି। ଅନ୍ୟପକ୍ଷରେ ପ୍ରଶାସନ ଏଥିପ୍ରତି ଧ୍ୟାନ ଦେବା ସହ ବେଳାଭୂମିର ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।