ଜଙ୍ଗଲ ଜଗିବାକୁ ମହିଳାଙ୍କ ଠେଙ୍ଗା ପାଳି । ପରିବେଶ ସୁରକ୍ଷା ପାଇଁ ୧୧୬ ମତ୍ସ୍ୟଜୀବୀ ମହିଳାଙ୍କ ଉତ୍ସର୍ଗୀକୃତ ସେବା, ଗାଁ ଗୌରବ ‘ଗଙ୍ଗାଦେବୀ ବନ ସୁରକ୍ଷା ସମିତି’ ।

177

କନକ ବ୍ୟୁରୋ : ଜଙ୍ଗଲ ଜଗିବାକୁ ଗଠନ ହୋଇଥିଲା ବନ ସୁରକ୍ଷା ସମିତି । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଳକ ସହନ ଗାଁର ମତ୍ସ୍ୟଜୀବୀ ପରିବାରର ୧୧୬ ମହିଳା ଗଙ୍ଗାଦେବୀ ବନ ସୁରକ୍ଷା ସମିତି ଗଠନ କରିଛନ୍ତି । ଆଉ ୩ ବର୍ଷ ହେଲା ଅନବରତ ଠେଙ୍ଗା ପାଳି କରି ଜଙ୍ଗଲକୁ ସୁରକ୍ଷା ଦେବା ସହ ଜଙ୍ଗଲ ସଫା କରୁଛନ୍ତି । ଆଉ ପରିବେଶ ସୁରକ୍ଷା ସହ ପ୍ରାକୃତିକ ବିପର୍ଯ୍ୟୟରୁ ନିଜ ଅଂଚଳକୁ ବଂଚାଇବା ପାଇଁ ନୂତନ ଜଙ୍ଗଲ ସୃଷ୍ଟି ମଧ୍ୟ କରୁଛି ଗଙ୍ଗାଦେବୀ ବନ ସୁରକ୍ଷା ସମିତି ।

ଠେଙ୍ଗା ପାଳିରେ ଜଙ୍ଗଲ ସୁରକ୍ଷା । ୧୧୬ ମହିଳାଙ୍କ ଅଦମ୍ୟ ସାହସ । ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ବଜ୍ର ଶପଥ ନେଇଛନ୍ତି ଅସ୍ତରଙ୍ଗ ବ୍ଳକ ସହନ ଗାଁର ମତ୍ସ୍ୟଜୀବୀ ପରିବାରର ମହିଳାମାନେ । ସ୍ୱାମୀ ଓ ପିଲାମାନେ ମାଛ ମାରିବାକୁ ବାହାରିଯିବା ପରେ ଠେଙ୍ଗା ଧରି ଜଙ୍ଗଲକୁ ବାହାରି ଯାଆନ୍ତି ଏହି ମହିଳାମାନେ । ନିଜ ଅଂଚଳର ଜଙ୍ଗଲକୁ ସୁରକ୍ଷା ଦେବା ସହ ପରିବେଶକୁ ସଫା ରଖିବା ପାଇଁ ୧୧୬ ଜଣ ମହିଳା ଗଠନ କରିଛନ୍ତି ଗଙ୍ଗାଦେବୀ ବନ ସୁରକ୍ଷା ସମିତି । ପାଳି କରି ଜଙ୍ଗଲ ଜଗୁଛନ୍ତି ଆଉ ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବା ପାଇଁ ଜଙ୍ଗଲ ସାରା ପଇଁତରା ମାରୁଛନ୍ତି ।

ଅଲିଭ୍ ରିଡଲେ କଇଁଛଙ୍କ ପ୍ରଜନନ ପାଇଁ ୭ ମାସ କାଳ ମାଛ ଧରା ଉପରେ କଟକଣା ଲାଗିଛି । ମତ୍ସ୍ୟଜୀବୀ ଜୀବିକା ହରାଇଛନ୍ତି, କିନ୍ତୁ ସେମାନଙ୍କ ପରିବାରର ମହିଳାମାନେ ସେହି ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ସମୁଦ୍ରକୂଳକୁ ସଫା କରୁଛନ୍ତି । ପ୍ରାକୃତିକ ବିପର୍ଯ୍ୟୟରୁ ନିଜ ଗାଁ ସହ ଅସ୍ତରଙ୍ଗ ଅଂଚଳକୁ ସୁରକ୍ଷା ଦେବା ପାଇଁ ନୂତନ ଜଙ୍ଗଲ ସୃଷ୍ଟି କରିବା ଉଦ୍ଦେଶ୍ୟରେ ବୃକ୍ଷରୋପଣ କରୁଛନ୍ତି । ମହିଳାମାନେ ଏଭଳି ମହତପୂର୍ଣ୍ଣ କାର୍ଯ୍ୟ କରି ଗୋଟିଏ ବାର୍ତା ଦେଇଛନ୍ତି । ଜଙ୍ଗଲ ସୃଷ୍ଟି ହେଲେ ପରିବେଶ ସୁରକ୍ଷା ସହ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇପାରିବ ।