ଗାଁ ଗୌରବ ଅସ୍ତରଙ୍ଗର ଶୋଭାକର ବେହେରା: ୨୭ ବର୍ଷ ହେଲା ପରିବେଶ ଓ ଜୀବଜନ୍ତୁଙ୍କ ସୁରକ୍ଷାରେ ଜୀବନକୁ ଉତ୍ସର୍ଗ କରିଛନ୍ତି ଉଚ୍ଚଶିକ୍ଷିତ ଯୁବକ

275

କନକ ବ୍ୟୁରୋ: ପରିବେଶ ପାଇଁ ୨୭ ବର୍ଷ । ଆଜିକାଲିର ଯୁବପିଢୀ ସରକାରୀ ଚାକିରୀ ପଛରେ ଧାଉଁଥିବା ବେଳେ ଉଚ୍ଚ ଶିକ୍ଷିତ ଯୁବକ ଶୋଭାକର ବେହେରା ଅନେକ ସରକାରୀ ଚାକିରୀକୁ ପ୍ରତ୍ୟାଖାନ କରିଛନ୍ତି । ପରିବେଶ ଓ ଜୀବ ସୁରକ୍ଷାରେ ନିଜକୁ ଉତ୍ସର୍ଗ କରିଛନ୍ତି । ପ୍ରାକୃିତକ ପରିବେଶ ଓ ଜୀବଜନ୍ତୁଙ୍କୁ ଭଲ ପାଉଥିବା ଦରଦୀ ମଣିଷ ଶୋଭାକରଙ୍କୁ ନେଇ ଗର୍ବ କରନ୍ତି ତାଙ୍କ ଗ୍ରାମବାସୀ ।

ପୁରୀ ଅସ୍ତରଙ୍ଗ ବ୍ଳକ ଗୁଣ୍ଡଳବା ଗାଁର ଶୋଭାକର ବେହେରା । ପ୍ରାକୃତିକ ଶୋଭାରାଜିକୁ ଭଲ ପାଉଥିବା ମଣିଷ ଶୋଭାକର । ସବୁଜ ବନାନୀ ଓ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ୨୭ ବର୍ଷ ହେଲା ନିଜକୁ ଉତ୍ସର୍ଗ କରିଛନ୍ତି ଏହି ବ୍ୟକ୍ତି । ଗାଁ ପଛ ପଟେ ଥିବା ସୋର୍ଣ୍ଣାଭ ବେଳାଭୂମୀ ଏବଂ ଝାଉଁ ଜଙ୍ଗଲ ତାଙ୍କୁ ପ୍ରକୃତିକୁ ଭଲ ପାଇବା ଶିଖାଇ ଦେଇଛି । ଅଲିଭ ରିଡେଲ କଇଁଛ, ଡଲଫିନ୍ ଓ ଅନ୍ୟ ଜଳଜୀବଙ୍କ ସୁରକ୍ଷା ପାଇଁ ଅନବରତ କାମ କରୁଥିବା ଏହି ବ୍ୟକ୍ତି, ଜୀବସୁରକ୍ଷା କର୍ମୀ ଭାବେ ଘରେ ଘରେ ପରିଚିତ ।

ପ୍ରକୃତିକୁ ଭଲ ପାଉଥିବାରୁ ଶୋଭାକରଙ୍କୁ ସରକାରୀ ଓ ବେସରକାରୀ ଅନୁଷ୍ଠାନରୁ ସମ୍ମାନିତ କରାଯାଇଛି । ଅନେକ ସମୟରେ ବିଭିନ୍ନ ଦେଶ ବିଦେଶର ଗବେଶକମାନେ ଶୋଭାକରଙ୍କ ପାଖକୁ ଆସି ସାମୁଦ୍ରିକ ଜୀବଙ୍କ ଜୀବନ ଶୈଳି ବାବଦରେ ପଚାରି ବୁଝିଥାନ୍ତି । ତାଙ୍କର ଏପରି କାମ ଦେଖି ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀ ଜିଲ୍ଲା ବନ୍ୟପ୍ରାଣୀ ତତ୍ୱାବଧାରକ ପଦବୀରେ ଦୁଇବର୍ଷ ହେବ ନିଯୁକ୍ତି ଦିଆଯାଇଛି ।

ଶୋଭାକର ନିଜେ ପରିବେଶ ପାଇଁ କାମ କରିବା ସହ ତାଙ୍କ ନେତୃତ୍ୱର ବହୁ ମହିଳା ସଂଗଠନ ତିଆରି କରିଛନ୍ତି । ଅସ୍ତରଙ୍ଗ ବ୍ଳକର ବିଭିନ୍ନ ସମୁଦ୍ର କୂଳିଆ ଗାଁର ମହିଳାଙ୍କୁ ନେଇ ଗଠନ ହୋଇଥିବା ସଂଗଠନର ମହିଳାମାନେ ପାଳି କରି ଜଙ୍ଗଲକୁ ସୁରକ୍ଷା ଦେବା ସହ ଜାହାନିଆଁ ପର୍ଯ୍ୟଟନ ସ୍ଥଳର ସଫେଇ କାମ କରୁଛନ୍ତି ।