କନକ ବ୍ୟୁରୋ : ଇଂଲଣ୍ଡ-ଅଷ୍ଟ୍ରେଲିଆ ମଧ୍ୟରେ ଆସେସ ସିରିଜର ଦ୍ୱିତୀୟ ମ୍ୟାଚ୍ ଖେଳାଯାଉଛି । କିନ୍ତୁ ଏହି ମ୍ୟାଚରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଥିଲା । ଦ୍ୱିତୀୟ ଟେଷ୍ଟର ଚତୁର୍ଥ ଦିନରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯେତେବେଳେ ଇଂଲଣ୍ଡର ଦ୍ରୁତ ବୋଲର ଓଲି ରବିନସନ ବୋଲିଂ କରିଥିଲେ । କିନ୍ତୁ ତାଙ୍କର ବୋଲିଂ ଷ୍ଟାଇଲ ବଦଳି ଯାଇଥିଲା । ଦ୍ରୁତ ବୋଲରରୁ ସ୍ପିନର ପାଲଟି ଯାଇଥିଲେ ରବିନସନ । ଯାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ରବିନସନଙ୍କୁ ସ୍ପିନର ଅବତାରରେ ଦେଖି କିଛି ସମୟ ପାଇଁ ତାଜୁବ ହୋଇ ଯାଇଥିଲେ କ୍ରିକେଟପ୍ରେମୀ ।

Advertisment

ଚତୁର୍ଥ ଦିନରେ ଅଷ୍ଟ୍ରେଲିଆର ଦ୍ୱିତୀୟ ପାଳି ବ୍ୟାଟିଂ ବେଳେ ୩୫ ନମ୍ବର ଓଭର ନେଇ ଆସିଥିଲେ ରବିନସନ । କ୍ରିଜରେ ବ୍ୟାଟିଂ କରୁଥିଲେ ଦୁଇ ଅଷ୍ଟ୍ରେଲୀୟ ବ୍ୟାଟର ହେଡ ଓ ଲାବୁସାନେ । କିନ୍ତୁ ରବିନସନ କ୍ରିଜ ଠାରୁ ମାତ୍ର କିଛି ଦୂରରୁ ଛିଡା ହୋଇ ବୋଲିଂ କରିବାକୁ ପ୍ରସ୍ତୁତ ହେଲେ । ଜଣେ ଦ୍ରୁତ ବୋଲର ଏତେ ପାଖରୁ କିଭଳି ବା ବୋଲିଂ କରିପାରିବ ତାହା ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇଥିଲା । କିନ୍ତୁ ରବିନସନ ଦ୍ରୁତ ବୋଲିଂ ନୁହେଁ ସ୍ପିନ ବୋଲିଂ କରି ସମସ୍ତଙ୍କୁ ଚକିତ କରିଥିଲେ । ରବିନସନ ଅଫ୍ ସ୍ପିନ ପକାଇଥିବା ବେଳେ ଏହି ଓଭରରେ ମାତ୍ର ୨ ରନ୍ ହିଁ ହାସଲ କରିଥିଲା ଅଷ୍ଟ୍ରେଲିଆ ।

ରବିନସନଙ୍କ ଏଭଳି ବୋଲିଂ ଅନ୍ଦାଜ ଦେଖିବା ପରେ ସୋସିଆଲ ମିଡ଼ିଆରେ ପ୍ରଂଶସା କରିଛନ୍ତି କ୍ରିକେଟପ୍ରେମୀ । ଆଇସିସି ମଧ୍ୟ ରବିନସନଙ୍କ ସ୍ପିନ୍ ବୋଲିଂର ଫଟୋ ସେୟାର କରିବା ସହ କେତେ ନମ୍ବର ଦିଆଯିବା ଉଚିତ୍ ବୋଲି ଅପିଲ କରିଛି । ପ୍ରଥମ ଟେଷ୍ଟରେ ଧୀମା ଓଭର ପାଇଁ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ପଏଣ୍ଟ ଟେବୁଲରୁ କିଛି ପଏଣ୍ଟ ଇଂଲଣ୍ଡକୁ ହରାଇବାକୁ ପଡିଥିଲା । ତେଣୁ ଦ୍ୱିତୀୟ ଟେଷ୍ଟରୁ ଏଥିରୁ ବର୍ତ୍ତିବାକୁ ରବିନସନଙ୍କ ଦ୍ୱାରା କିଛି ଓଭର ସ୍ପିନ ମାଧ୍ୟମରେ ଶୀଘ୍ର କରାଇବାକୁ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ ଟିମ୍ ମ୍ୟାନେଜମେଣ୍ଟ ।