ବିଲଡର ସଂସ୍ଥା ‘ଆସୋଟେକ’ର ନିର୍ଦ୍ଦେଶକ ଗିରଫ । ଘର ଦେବା ସ୍ୱପ୍ନ ଦେଖାଇ ଲୋକଙ୍କୁ ଠକୁଥିଲେ ।

253

କନକ ବ୍ୟୁରୋ : ଗିରଫ ହେଲେ ରିଅଲ ଇଷ୍ଟେଟ୍ ସଂସ୍ଥାର ‘ଆସୋଟେକ’ର ନିର୍ଦ୍ଦେଶକ ସଞ୍ଜୀବ ଶ୍ରୀବାସ୍ତବ । ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା ତାଙ୍କୁ ଗିରଫ କରିଛି । ଚଳିତ ମାସ ୮ ତାରିଖରେ ନୋଏଡାରୁ ତାଙ୍କୁ ଗିରଫ କରାଯାଇଛି । ତାଙ୍କ ବିରୋଧରେ ସାଂଗାତିକ ଅଭିଯୋଗ ରହିଛି । ସେ ଗ୍ରାହକମାନଙ୍କୁ ଘର ଦେବା ସ୍ୱପ୍ନ ଦେଖାଇ ଠକୁଥିଲେ ।

ଗୋଟିଏ ପ୍ରକଳ୍ପ ପାଇଁ ଗ୍ରାହକଙ୍କଠାରୁ ଟଙ୍କା ନେଇଯିବା ପରେ ତାକୁ ଅନ୍ୟ ପ୍ରକଳ୍ପରେ ବ୍ୟବହାର କରୁଥିଲେ । ପ୍ରତିଶୃତି ମୁତାବକ ସେ ଗ୍ରାହକଙ୍କୁ ଘର ଦେଉନଥିଲେ । ଗିରଫ ହୋଇଥିବା ଶ୍ରୀବାସ୍ତବ ଆସୋଟେକର ୨୬ରୁ ଅଧିକ କମ୍ପାନୀରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି ।

ଗାଜିଆବାଦରେ ସୁଧିର ଗୁପ୍ତା ନାମକ ଜଣେ ବ୍ୟବସାୟୀ ୪୦ଟି ଫ୍ଲାଟ ବୁକିଂ କରିଥିଲେ । ପେମେଣ୍ଟ ଯୋଜନା ଅନୁସାରେ ବୁକିଂ କରିବାର ୬୦ ଦିନ ଭିତରେ ୩୦ ପ୍ରତିଶତ ଟଙ୍କା ଦେଇଥିଲେ କିନ୍ତୁ କିଛି ଦିନ ପରେ ସେହି ସବୁ ଫ୍ଲାଟ ଅନ୍ୟଜଣଙ୍କ ନାଁରେ ହୋଇଯାଇଥିଲା । ଏହାପରେ ସୁଧିର ଗୁପ୍ତା ଏନେଇ ଏକ ମାମଲା ଦାୟର କରିଥିଲେ । ଏହାପରେ ସଞ୍ଜୀବ ଶ୍ରୀବାସ୍ତବଙ୍କ ସତ ସାମ୍ନାକୁ ଆସିଥିଲା ।