ଅଦରକାରୀ କାଗଜପତ୍ର ପୋଡୁ ପୋଡୁ ନିଜେ ପୋଡିଗଲେ । ଆକାଳରେ ଚାଲିଗଲା ସହକାରୀ ବନ ସଂରକ୍ଷକଙ୍କ ଜୀବନ । କିଛି ମାସ ତଳେ ହୋଇଥିଲା ବିବାହ

1,225

କନକ ବ୍ୟୁରୋ: କିଛି ମାସ ତଳେ ହୋଇଥିଲା ବିବାହ । ବେଶ ହସଖୁସିରେ ବନ ବିଭାଗର କ୍ୱାର୍ଟର୍ରେ ରହୁଥିଲେ ଦମ୍ପତି । ହେଲେ ଦମ୍ପତିଙ୍କ ଜୀବନରେ ଏମିତି ଏକ ଝଡ଼ ଆସିଲା, ଯାହା ସବୁ କିଛି ଛାରଖାର କରିଦେଇଗଲା । ଜିଅନ୍ତା ଜଳିଗଲେ ସହକାରୀ ବନ ସଂରକ୍ଷକ ।

ସୂଚନା ଅନୁସାରେ କିଛି ଅଦରକାରୀ କାଗଜପତ୍ର ପୋଡୁଥିବା ବେଳେ ଅଚାନକ୍ ପାରଳାଖେମୁଣ୍ଡିର ସହକାରୀ ବନ ସଂରକ୍ଷକ ସୌମ୍ୟରଂଜନ ମହାପାତ୍ରଙ୍କ ଦେହରେ ନିଆଁ ଲାଗିଯାଇଥିଲା । ଚାହୁଁଚାହୁଁ ଦେହସାରା ନିଆଁ ଲାଗିଗଲା । ପ୍ରଥମେ ପାରଳାଖେମୁଣ୍ଡି ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲ, ଆଉ ଶେଷରେ କଟକର ଏକ ଘରୋଇ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା ।

ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜି ଦେଇଛନ୍ତି ସୌମ୍ୟରଂଜନ । କିନ୍ତୁ କେଉଁ ସ୍ଥିତିରେ ତାଙ୍କ ଦେହରେ ନିଆଁ ଲାଗିଲା? ନିଆଁ ଲାଗିବା ସମୟରେ ତାଙ୍କ ପତ୍ନୀ କରୁଥିଲେ କ’ଣ? କେତେ ବଡ଼ ଅଗ୍ନିକାଣ୍ଡ ହେଲା ଯେ, ଦେହର ୯୦% ପୋଡ଼ିଗଲା? ଏମିତି ଅନେକ ପ୍ରଶ୍ନ ଉଠୁଛି । ଏହି ସବୁ ପ୍ରଶ୍ନ ଭିତରେ ପୁଲିସ୍ ସବୁ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି ।

ଏହାରି ଭିତରେ ଡାକ୍ତର ଏବଂ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ମୃତ୍ୟୁକାଳୀନ ଜମାନବନ୍ଧୀ ରେକର୍ଡ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଏଥିରେ ସୌମ୍ୟରଂଜନ କହିଛନ୍ତି- ଘରର କିଛି ଅଦକାରୀ ସାମଗ୍ରୀ ପୋଡୁଥିବା ସମୟରେ କିରୋସିନ୍ରେ ଗୋଡ଼ ପଡ଼ିଯାଇଥିଲା । ଆଉ ନିଆଁ ଲାଗି ଯାଇଥିବାରୁ ସେ ପୋଡ଼ି ଯାଇଥିଲେ । ତେବେ ତାଙ୍କର ଘରୋଇ କଳି କିମ୍ବା କୌଣସି ବିବାଦ ନଥିଲା । କିନ୍ତୁ ଏସବୁ ଭିତରେ ଘଟଣାର ପୃଷ୍ଟଭୂମିକୁ ନେଇ ଏବେ ବି ସନ୍ଦେହ ରହିଛି ।