ଭିଜିଲାନ୍ସ ଜାଲରେ ପୁଣି ଜଣେ କୋଟିପତି ସରକାରୀ ବାବୁ । କୋଟିଏରୁ ଅଧିକ ଟଙ୍କାର କୋଠା ଠାବ, ଖଟତଳୁ ମିଳିଲା ୩୫ ହଜାର ଟଙ୍କାର ଅଚଳ ୫୦୦ ଟଙ୍କିଆ ।

227

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ପଡିଛନ୍ତି ଆଉ ଜଣେ ସରକାରୀ ବାବୁ । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ନୟାଗଡ଼ ରଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଚଢାଉ ବେଳେ ତାଙ୍କ ଘର ଦେଖି କାବା ହୋଇଯାଇଛନ୍ତି ଭିଜିଲାନ୍ସ ଅଧିକାରୀ । ତାଙ୍କ ଘରେ କୋଟି କୋଟି ଟଙ୍କାର ସାଜସଜା ହୋଇଛି । କୌଣସି ରାଜମହଲ ଠାରୁ କମ ଲାଗୁନାହିଁ ତାଙ୍କ କୋଠା । ଭୁବନେଶ୍ୱର ନିଳାଦ୍ରୀ ବିହାର ଅଂଚଳରେ ଥିବା ତାଙ୍କ ଘରର ମୂଲ୍ୟ କୋଟିଏରୁ ଅଧିକ ଟଙ୍କା ହେବ ।

୭ ମାସ ପରେ ସରକାରୀ ଚାକିରୀରୁ ଅବସର ନେଇଥାନ୍ତେ ସରକାରୀ ଯନ୍ତ୍ରୀ ଋଷିନାଥ ବରାଳ । କିନ୍ତୁ ଚାକିରୀ ଛାଡିବା ପୂର୍ବରୁ ଖୋଲିଗଲା ଅସଲ ମୁଖା । ଘରୁ ମିଳିଲା ପୁଳା ପୁଳା ଟଙ୍କା । ନୟାଗଡ ଜିଲ୍ଲାର ରଣପୁରରେ ଗ୍ରାମ୍ୟ ଉନ୍ନୟନ ବିଭାଗରେ ସହକାରୀ ଯନ୍ତ୍ରୀ ଭାବେ କାମ କରୁଥିବା ଋଷିନାଥ ବରାଳଙ୍କ ସମ୍ପତି ଦେଖି ଭିଜିଲାନ୍ସ ଅଧିକାରୀମାନେ କାବା ହୋଇଯାଇଛନ୍ତି ।    ସେମାନେ ବୁଝିପାରୁନାହାନ୍ତି ସରକାରୀ ଚାକିରୀରେ ଥାଇ ଜଣେ କେମିତି ଏତେ ମାଲାମାଲ ହେବ ।

ଏ ବାବୁଙ୍କ ଘର ଭିତରେ ପଶିଗଲେ ଆପଣ ବୁଝିପାରିବେ ନାହିଁ ଜଣେ ସହକାରୀ ଯନ୍ତ୍ରୀ ଏମିତି ଘରକୁ ରାଜମହଲ ଭଳି ସଜାଇପାରିବେ । ଯୁଆଡେ ଦେଖିବେ ନାମୀଦାମୀ କମ୍ପାନୀର ଉପକରଣ ଲାଗିଛି । କେମିତି ଏତେ ଟଙ୍କା ଖର୍ଚ୍ଚ ହୋଇଛି ଓ ଏ ଟଙ୍କା କେଉଁଠୁ ଆସିଲା ତାର ବି ହିସାବ ଦେଇପାରୁନାହାନ୍ତି ଋଷିନାଥ । ପୁରୁଣା ୫ ଶହ ଟଙ୍କିଆ ନୋଟ ବିଡା । ୫ ବର୍ଷ ପୂର୍ବରୁ ଏହି ନୋଟ ଅଚଳ ହେଲାଣି । ଖଟତଳେ କୋଣରେ ପଡିଥିଲା । ବୋଧହୁଏ ସେ ନିଜେ ବି ଦେଖିନଥିଲେ । ପ୍ରକୃତରେ ତାହା ସତ ବି ହୋଇଥାଇପାରେ । କାରଣ ଟଙ୍କା କେତେ ଆସୁଛି କେତେ ଯାଉଛି ତାର କିଛି ହିସାବ ନାହିଁ ।

ଚଢାଉ ବେଳେ ପ୍ରାଥମିକ ଆକଳନରୁ ଜଣାପଡିଛି,

*ଭୁବନେଶ୍ୱର ନୀଳଦ୍ରିବିହାରର ଘରର ମୂଲ୍ୟ ୧ କୋଟିରୁ ଅଧିକ ହେବ

*ଋଷିନାଥଙ୍କ ପତ୍ନୀ ବ୍ୟବହାର କରୁଥିବା ସୁନା ଗହଣା ସମେତ ଲକ୍ଷାଧିକ ଟଙ୍କା ଜବତ ହୋଇଛି

*ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ବ୍ୟାଙ୍କ ଆକାଉଂଟ ସିଜ ହୋଇଛି

*୩୮ ଲକ୍ଷ ଟଙ୍କାର ଇନ୍ସୁରାନ୍ସ ସମେତ ୨୮ ଲକ୍ଷ ଟଙ୍କାର ମ୍ୟୁଚୁଆଲ ଫଣ୍ଡ ରହିଛି

*ସେୟାର ବଜାରରେ ଋଷିନାଥ ଟଙ୍କା ନିବେଶ କରିଛନ୍ତି

*ବିଭିନ୍ନ ଆକାଉଣ୍ଟରେ ୨୫ଲକ୍ଷ ଟଙ୍କା ରହିଛି

୧୯୮୩ ମସିହାରେ ଋଷିନାଥ ସରକାରୀ ଚାକିରୀ ପାଇଥିଲେ । ୨୦୧୮ରେ ପଦୋନ୍ନତ୍ତି ହୋଇ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଏତେ ଟଙ୍କାର ମାଲିକ କିଭଳି ହେଲେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।