କେନ୍ଦ୍ର ସରକାରଙ୍କ ପ୍ରଶଂସନୀୟ ପଦକ୍ଷେପ । ବିଜୟ ମାଲ୍ୟା, ନୀରବ ମୋଦୀ ଓ ମେହୁଲ ଚୋକ୍ସିଙ୍କ ୯,୩୭୧ କୋଟି ଟଙ୍କାର ସମ୍ପତ୍ତି ସରକାରୀ ବ୍ୟାଙ୍କକୁ ସ୍ଥାନାନ୍ତର

379

କନକ ବ୍ୟୁରୋ : ଦେଶର କିଛି ବ୍ୟାଙ୍କରୁ ଟଙ୍କା ଠକି ନେଇ ବିଦେଶ ପଳାଇଥିବା ପଳାତକ ନୀରବ ମୋଦି, ବିଜୟ ମାଲ୍ୟା ଓ ମେହୁଲ ଚୋକ୍ସିଙ୍କର ୯,୩୭୧ କୋଟି ଟଙ୍କାର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସରକାରୀ ବ୍ୟାଙ୍କକୁ ସ୍ଥାନାନ୍ତର କରିଛି । କୁହାଯାଇଛି କି ଏହି ସଂପତ୍ତିରୁ ମିଳିବାକୁ ଥିବା ଟଙ୍କା ଠକେଇରେ ଶିକାର ହୋଇଥିବା ବ୍ୟାଙ୍କ ଓ ବ୍ୟକ୍ତି ବିଶେଷଙ୍କ କ୍ଷତି ଭରଣା କରାଯିବ ।

ଇଡି କହିଛନ୍ତି କି ପିଏମଏଲଏ ମାଧ୍ୟମରେ ପଳାତକ ବିଜୟ ମାଲ୍ୟା, ନୀରବ ମୋଦି ଓ ମେହୁଲ ଚୋକ୍ସିଙ୍କର ୧୮,୧୭୦.୦୨ କୋଟି ଟଙ୍କାର ସଂପତ୍ତି ଜବତ୍ କରାଯାଇଛି । ଯାହାକି ସେମାନେ ବ୍ୟାଙ୍କରୁ ଠକେଇ କରିଥିବା ମୋଟ ଟଙ୍କାର ୮୦.୪୫ ପ୍ରତିଶତ । ଏହା ମଧ୍ୟରୁ ବର୍ତମାନ ୯,୩୭୧ କୋଟି ଟଙ୍କାର ସଂପତ୍ତି ସରକାରୀ ବ୍ୟାଙ୍କକୁ ସ୍ଥାନାନ୍ତର କରାଯାଇଛି ।

କହିରଖୁ କି କିଙ୍ଗଫିସର ଏୟାରଲାଇନ୍ସର ମାଲିକ ବିଜୟ ମାଲ୍ୟା ଏବେ ବ୍ରିଟେନରୁ ଭାରତ ପ୍ରତ୍ୟାର୍ପଣ ନେଇ ଅଦାଲତରେ ମାମଲା ଲଢୁଛନ୍ତି । ଏହାସହ ସେ ଏହି ମାମଲାରେ ଜାମିନ ପାଇ ଏବେ ବାହାରେ ଅଛନ୍ତି । ୨୦୧୯ ମସିହାରେ ବ୍ରିଟେନର ପୂର୍ବତନ ଗୃହ ସଚିବ ତାଙ୍କୁ ଭାରତ ପ୍ରତ୍ୟାର୍ପଣ ପାଇଁ ମଞ୍ଜୁରୀ ପ୍ରଦାନ କରିଥିଲେ ବି ସେ ଏହାକୁ ଅଦାଲତରେ ଚ୍ୟାଲେଞ୍ଜ କରି ଏବେ ବ୍ରିଟେନରେ ଅଛନ୍ତି ।

ଅନ୍ୟପଟେ ଗୀତାଞ୍ଜଳତୀ ଡାଇମଣ୍ଡ୍ସର ମାଲିକ ନୀରବ ମୋଦି ଓ ତାଙ୍କ ସଂପର୍କୀୟ କୁହାଯାଉଥିବା ମେହୁଲ ଚୋକ୍ସି ପିଏନବି ବ୍ୟାଙ୍କରୁ ହଜାର ହଜାର କୋଟି ଟଙ୍କା ଠକି ନେଇ ବିଦେଶ ପଳାଇ ଯାଇଛନ୍ତି । ସେମାନଙ୍କୁ ଭାରତ ଫେରାଇ ଆଣିବାକୁ କେନ୍ଦ୍ର ସରକାର ଆଇନର ଲଢେଇ ଲଢୁଥିବା ବେଳେ ସେମାନଙ୍କ ସଂପତ୍ତି ଜବତ କରିବାକୁ ଲାଗିପଡିଛନ୍ତି ବିଭାଗୀୟ ଅଧିକାରୀ ।