ବିଜେପି ସବୁଠୁ ଧନୀ ଦଳ । ଜାଣନ୍ତୁ ଦେଶରେ କେଉଁ ଦଳ ପାଖରେ ରହିଛି କେତେ ଟଙ୍କା? ଏଡିଆର ରିପୋର୍ଟରେ ମିଳିଲା ପୂରା ତଥ୍ୟ ।

328

କନକ ବ୍ୟୁରୋ : ରାଜନୈତିକ ଦଳ ଏତେ ବଡ ବଡ ସମାବେଶ କରୁଛନ୍ତି, ରାଲି କରୁଛନ୍ତି । ପ୍ରଚାରରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ମନରେ ଅନେକ ସମୟରେ ପ୍ରଶ୍ନ ଉଠେ ରାଜନୈତିକ ଦଳ ପାଖରେ ଏତେ ଟଙ୍କା କୁଆଡୁ ଆସେ? ସତରେ କଣ ରାଜନୈତିକ ଦଳ ପାଖରେ କୋଟି କୋଟି ଟଙ୍କା ରହିଛି । ଏଭଳି ପ୍ରଶ୍ନର ଉତ୍ତର ହେଉଛି ଏଡିଆର ରିପୋର୍ଟ । ଯେଉଁଥିରେ ଉଲ୍ଲେଖ ରହିଛି କେଉଁ ରାଜନୈତିକ ଦଳ ପାଖରେ କେତେ ଟଙ୍କା ରହିଛି । ‘ଆସୋସିଏସନ ଫର୍ ଡେମୋକ୍ରାଟିକ ରିଫର୍ମ’ ବା ଏଡିଆର ରାଜନୈତିକ ଦଳର ସମ୍ପତ୍ତି କେତେ ତାହା ରିପୋର୍ଟରେ ପ୍ରକାଶ କରିଛି । ଆଉ ଏହି ରିପୋର୍ଟ ଅନୁଯାୟୀ ଜାତୀୟ ରାଜନୈତିକ ଦଳ ଭିତରେ ବିଜେପି ସବୁଠୁ ଧନୀ ଦଳ ହୋଇଥିବା ବେଳେ ଆଞ୍ଚଳିକ ରାଜନୈତିକ ଦଳ ମଧ୍ୟରେ ସମାଜବାଦୀ ପାର୍ଟି ସବୁଠୁ ଧନୀ ଦଳ ଭାବେ ଉଭା ହୋଇଛି ।

ଏଡିଆର ରିପୋର୍ଟ ଅନୁଯାୟୀ, ୭ ଜାତୀୟ ଦଳ ମଧ୍ୟରୁ ୨୦୧୯-୨୦ ଆର୍ଥିକ ବର୍ଷ ସୁଦ୍ଧା ବିଜେପି ସବୁଠୁ ଧନୀ ଦଳ ଭାବେ ଉଭା ହୋଇଛି । ବିଜେପିର ମୋଟ ସମ୍ପତ୍ତି ୪,୪୮୭.୭୮୦ କୋଟି ଟଙ୍କା ରହିଛି । ଯେଉଁଥିରେ ଦଳର ବ୍ୟାଙ୍କ ଡିପୋଜିଟ ୩୨୫୩ କୋଟି ରହିଥିବା ବେଳେ ସ୍ଥାବର ସମ୍ପତ୍ତି ଭାବେ ୭୧୬.୬୭ କୋଟି, ଅନ୍ୟ ସମ୍ପତ୍ତି ୨୫୭.୪୧ କୋଟି, ଋଣର ପରିମାଣ ୫୯୦.୧୮ କୋଟି, ଟିଡିଏସ ବାବଦକୁ ୩୦.୫୧୩ କୋଟି ରହିଛି । ସେହିଭଳି ବିଜେପି ପଛକୁ ବିଏସପି ରହିଛି ।ଯାହାର ମୋଟ ସମ୍ପତ୍ତିର ପରିମାଣ ୬୯୮.୩୩୦ କୋଟି, କଂଗ୍ରେସର ୫୮୮.୧୬୦ କୋଟି, ସିପିଏମର ୫୬୯.୫୧୯ କୋଟି, ତୃଣମୂଳ କଂଗ୍ରେସର ୨୪୭.୭୮୦ କୋଟି, ସିପିଆଇର ୨୯.୭୮୦ କୋଟି, ଏନସିପିର ୮.୨୦୦ କୋଟି ସମ୍ପତ୍ତି ରହିଛି । ଏହିଭଳି ଭାବେ ଜାତୀୟ ରାଜନୈତିକ ଦଳ ପାଖରେ ମୋଟ ୬୯୮୮.୫୭ କୋଟି ଟଙ୍କା ରହିଛି ।

ଅନ୍ୟପଟେ ଆଞ୍ଚଳିକ ରାଜନୈତିକ ଦଳ ମଧ୍ୟରେ ସମାଜବାଦୀ ପାର୍ଟି ସବୁଠୁ ବଡ ଧନୀ ପାର୍ଟି ଭାବେ ଉଭା ହୋଇଛି । ସମାଜବାଦୀ ପାର୍ଟିର ମୋଟ ସମ୍ପତ୍ତିର ମୂଲ୍ୟ ୫୬୩.୪୭୦ କୋଟି ଟଙ୍କା ରହିଛି । ଯାହା ୩ ଜାତୀୟ ଦଳର ସମ୍ପତ୍ତି ଠାରୁ ମଧ୍ୟ ଅଧିକ । ସେହିଭଳି ଧନୀ ଆଞ୍ଚଳିକ ରାଜନୈତିକ ଦଳ ତାଲିକାର ୮ମ ସ୍ଥାନରେ ରହିଛି ବିଜେଡି । ଦଳର ମୋଟ ସମ୍ପତ୍ତିର ମୂଲ୍ୟ ୧୨୮.୭୫୨ କୋଟି ଟଙ୍କା ରହିଛି । ଯାହା ମଧ୍ୟରେ ବ୍ୟାଙ୍କ ଜମା ବାବଦକୁ ୧୧୮.୪୨୫ କୋଟି ରହିଥିବା ବେଳେ ସ୍ଥାବର ସମ୍ପତ୍ତି ବାବଦକୁ ୧.୪୭୨ କୋଟି, ଅନ୍ୟ ସମ୍ପତ୍ତି ୬.୨୨୩ କୋଟି, ଋଣ ଓ ଅଗ୍ରୀମ ବାବଦକୁ ୨.୬୨୩୫ କୋଟି, ଟିଡିଏସ ଓ ଟିସିଏସ ବାବଦକୁ ୦.୦୦୮୫ ଟଙ୍କାର ସମ୍ପତ୍ତି ରହିଛି । ମୋଟ ୪୪ଟି ଆଞ୍ଚଳିକ ରାଜନୈତିକ ଦଳର ମୋଟ ସମ୍ପତ୍ତି ହେଉଛି ୨୧୨୯. ୩୮ କୋଟି ଟଙ୍କା ରହିଛି ।