ଶୋକ ପ୍ରସ୍ତାବ ପରେ ବିଧାନସଭା ୩ ଟା ଯାଏ ମୁଲତବୀ । ଅପରାହ୍ନରେ ବସିବ ବୈଠକ । ଆଗତ ହୋଇପାରେ ୨୦୨୦-୨୧ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍

180

କନକ ବ୍ୟୁରୋ : ଆରମ୍ଭ ହେଉ ହେଉ ମୁଲତବୀ । ଆଜିଠାରୁ ଆରମ୍ଭ ହୋଇଥିବା ବିଧାନସଭା ଅଧିବେସନ ଆରମ୍ଭ ହେଉ ହେଉ ବାଚସ୍ପତି ଗୃହକୁ ୩ ଘଂଟା ପାଇଁ ମୁଲତବୀ ଘୋଷଣା କରିଛନ୍ତି । ଦିବଙ୍ଗତ ନେତାଙ୍କ ପାଇଁ ଆଗତ ଶୋକ ପ୍ରସ୍ତାବ ପରେ ବାଚସ୍ପତି ମୁଲତବୀ ଘୋଷଣା କରିଥିଲେ । ଗୃହର ପରମ୍ପରା ମୁତାବକ ଯଦି ଜଣେ ବାଚସ୍ପତିଙ୍କର ମୃତ୍ୟୁ ହୋଇଥାଏ ତେବେ ଗୃହକୁ ଗୋଟିଏ ଦିନ ପାଇଁ ମୁଲତବୀ ରଖାଯାଏ । ହେଲେ ଚଳିତ ବିଧାନସଭା କୋଭିଡ କଟକଣା ଭିତରେ ଚାଲୁଥିବାରୁ ବୈଠକର ସମୟ ସୀମା କାଣ୍ଟଛାଣ୍ଟ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ୩ ଟା ଯାଏ ଗୃହକୁ ମୁଲତବି କରାଯାଇଛି । ହେଲେ ସର୍ବଦଳୀୟ ବୈଠକରେ ହୋଇଥିବା ନିସ୍ପତ୍ତି କ୍ରମେ କରୋନା କଟକଣାକୁ ଦୃଷ୍ଟିରେ ରଖି ଅଧିବେଶନର ଯାହା କାର୍ଯ୍ୟସୂଚୀ ରହିଛି ତାହା ଅପରାହ୍ନ ବୈଠକରେ ଆଲୋଚନା ହେବ । ଏଥିସହ ଚଳିତ ଅଧିବେସନରେ ୨୦୨୦-୨୧ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ ଆଗତ ହୋଇପାରେ । ୩ ଦିନ ଖର୍ଚ୍ଚ ଦାବି ଆଲୋଚନା ପରେ ୨୯ ତାରିଖରେ ଅତିରକ୍ତ ବ୍ୟୟ ମଂଜରୀ ବିଲ୍ ପାରିତ ହେବା କାର୍ଯ୍ୟକ୍ରମ ରହିଛି । ଏହି ଅଧିବେଶନ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ । ଏହି ସମୟ ମଧ୍ୟରେ ବିଧାନସଭାରେ ୧୦ଟି ବିଲ୍ ଉପସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ଏହା ଭିତରୁ ତିନୋଟି ଅଧାଦେଶକୁ ଆଇନରେ ପରିଣତ କରିବା ପାଇଁ ସେ ସଂକ୍ରାନ୍ତୀୟ ବିଲ୍ ଆଣିବାକୁ ମଧ୍ୟ ସରକାର ଯୋଜନା କରିଛନ୍ତିି । ଏଥିସହ ବିରୋଧୀ ଦଳ ପକ୍ଷରୁ ଯାହା ପ୍ରସଙ୍ଗ ଉଠାଇବେ ତାହାକୁ ଆଲୋଚନା କରାଯିବ ବୋଲି ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଅନ୍ୟପଟେ ସରକାରକୁ ବିଭିନ୍ନ ପ୍ରସଙ୍ଗରେ ଘେରିବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିିଛନ୍ତି ବିରୋଧୀ ।