କନକ ବ୍ୟୁରୋ: ଆଜି ବି ସ୍ୱାଭାବିକ ଭାବେ ଚାଲିପାରିନି ବିଧାନସଭା ଅଧିବେଶନ । ପୂର୍ବାହ୍ନରେ ମାତ୍ର ଅଢ଼େଇ ମିନିଟ୍ ଚାଲିଥିବାବେଳେ ୪ଟା ପରେ ମାତ୍ର ଦୁଇ ମିନିଟ୍ ଚାଲିଥିଲା ଗୃହକାର୍ଯ୍ୟ । ବିଜେପି ବିଧାୟକଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ଓ ବିରୋଧୀ ଦଳ ନେତାଙ୍କ ସୁରକ୍ଷା ଦାବିରେ ଗୃହ କମ୍ପାଇଥିଲେ ବିରୋଧୀ ବିଜେପି ଦଳର ବିଧାୟକ । ଗୃହମଧ୍ୟ ଭାଗକୁ ଆସି ହୋହଲ୍ଲା କରିବା ସହ ପ୍ଲାକାର୍ଡ ଦେଖାଇ ସରକାରଙ୍କ ବିରୋଧରେ ନାରାବାଜି କରିଛନ୍ତି । ହଟ୍ଟଗୋଳ ଯୋଗୁଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ଆଉ ସର୍ବଦଳୀୟ ବୈଠକ ଡାକି ଆଲୋଚନା କରିଛନ୍ତି । ତେବେ ବିଧାନସଭା ଅଚଳ ପାଇଁ ଶାସକ ଦଳ ବିରୋଧୀ ଦଳକୁ ଦାୟୀ କରିଥିବାବେଳେ ବିରୋଧୀ ଶାସକ ଦଳକୁ ଦାୟୀ କରିଛନ୍ତି ।

Advertisment
  • ଚାଲିପାରୁନି ବିଧାନସଭା
  • ଅଚଳ ପାଇଁ ଦୋଷ ଲଦାଲଦି

ବିଧାନସଭାରେ ରାଜ୍ୟର ପ୍ରମୁଖ ସମସ୍ୟାକୁ ନେଇ ଆଲୋଚନା ହୋଇଥାଏ । ସମସ୍ୟାଗୁଡିକୁ କେମିତି ସମାଧାନ କରାଯାଇପାରିବ ସେଥିପାଇଁ ଆଲୋଚନା ମାଧ୍ୟମରେ ବାଟ ଫିଟିଥାଏ । ବିରୋଧୀ ସରକାରଙ୍କ ଦୋଷ ତ୍ରୁଟିକୁ ସରକାରଙ୍କ ସାମନାକୁ ଆଣିଥାନ୍ତି । କିନ୍ତୁ ବିଧାନସଭା ମୌସୁମୀ ଅଧିବେଶନ ସରିବାକୁ ଆଉ ମାତ୍ର ଗୋଟିଏ ଦିନ ଥିବାବେଳେ, ସେମିତି କୌଣସି ବଡ ପ୍ରସଙ୍ଗରେ ଆଲୋଚନା ହୋଇନି । ଏପରିକି ବିଧାନସଭା ସମ୍ମୁଖ ଲୋୟର ପିଏମଜିରେ ଆନ୍ଦୋଳନ ଚଳାଇଥିବା ବିଭିନ୍ନ ସଂଗଠନର ସମସ୍ୟାକୁ ନେଇ ମଧ୍ୟ କିଛି ଆଲୋଚନା ହୋଇନି । ଯାହାକୁ ନେଇ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି ।

ତେବେ ବିଧାନସଭା ଅଧିବେଶନ ପାଇଁ ରାଜ୍ୟ ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । ଯାହାକି ସାଢ଼େ ଚାରିକୋଟି ଓଡିଆଙ୍କ ଟଙ୍କା । ହେଲେ, ବିଧାନସଭା ଚାଲିନପାରିବା ଅର୍ଥ ସେହି ଟଙ୍କା ପାଣିରେ ପଡିବା ଭଳି ହୋଇଛି ।