ପ୍ରତିଦ୍ୱନ୍ଦ୍ୱୀ ବଦଳିଲେ, ନିର୍ବାଚନମଣ୍ଡଳୀ ବଦଳିଲା ହେଲେ ବଦଳିଲାନି ବିଜୟଙ୍କ ଭାଗ୍ୟ । ୧୯’ ବି ପୂରା କରିପାରିଲାନି ୧୯ ବର୍ଷର ସ୍ୱପ୍ନ ।

459

କନକ ବ୍ୟୁରୋ : ବିଜୟଙ୍କ ବିଧାନସଭା ସ୍ୱପ୍ନ ଭାଙ୍ଗିଦେଲେ ସାବିତ୍ରୀ । ଆଉ ଏହାସହ ବିଜୟଙ୍କ ପାଇଁ ପୁଣିଥରେ ଅପହଞ୍ଚ ପାଲଟିଛି ବିଧାନସଭା । ଦୀର୍ଘ ୧୯ ବର୍ଷ ପରେ ବିଧାନସଭା ଫେରିବାକୁ ବିଜୟ ଯେଉଁ ସ୍ୱପ୍ନ ଦେଖିଥିଲେ ତାହାକୁ ଧୂଳିସାତ କରିଛନ୍ତି ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ । ଆଉ ଏହାସହ ପାଟକୁରାକୁ ନେଇ ଲାଗିରହିଥିବା ଚର୍ଚ୍ଚାରେ ପଡିଛି ପୂର୍ଣ୍ଣଚ୍ଛେଦ ।

୧୮ଟି ରାଉଣ୍ଡରୁ ୧୬ଟି ରାଉଣ୍ଡରେ ବିଜେଡି ଆଗରେ ରହିବା ସହ ପ୍ରାୟ ୧୭ ହଜାରରୁ ଅଧିକ ଭୋଟରେ ପାଟକୁରାରେ ବିଜୟ ବାନା ଉଡାଇଛି ବିଜେଡି । ଆଉ ଏହାସହ ବିଜୟଙ୍କ ବିଧାନସଭା ଫେରିବା ସ୍ୱପ୍ନ ପୁଣିଥରେ ଅଧୁରା ରହିଛି । ଗତ ୧୯ ବର୍ଷ ଧରି କ୍ଷମତା ଅଳିନ୍ଦରୁ ଦୂରରେ ରହିଥିବା ରାଜ୍ୟ ରାଜନୀତିର ଏହି ଚର୍ଚ୍ଚିତ ଚେହେରା ପାଟକୁରା ନିର୍ବାଚନରେ ଜିତି ପୁଣିଥରେ ବିଧାନସଭାକୁ ଫେରିବାକୁ ଆଶା ବାନ୍ଧିଥିଲେ । ଏପରିକି ବିଜୟଙ୍କ ସପକ୍ଷରେ ପାଟକୁରାରେ ହାୱା ମଧ୍ୟ ବହିଥିଲା । କିନ୍ତୁ ବିଜେଡି ସୁପ୍ରିମୋ ନବୀନଙ୍କ ସୁଚିନ୍ତିତ ରଣନୀତି ଆଗରେ ମାତ୍ ଖାଇଥିଲେ ବିଜୟ ।

ବିଧାନସଭାରୁ ଦୂରରେ ବିଜୟ :
ଏକଦା ରାଜ୍ୟ ରାଜନୀତି ତଥା ବିଜୁ ସରକାରରେ ନମ୍ବର ଦୁଇ ସ୍ଥାନରେ ଥିବା ବିଜୟ ମହାପାତ୍ର ଦୀର୍ଘ ୧୯ ବର୍ଷ ଧରି ବିଧାନସଭାରେ ପାଦ ଦେଇପାରିନାହାନ୍ତି । ୨୦୦୦ ମସିହାରେ ବିଜେଡି ଟିକେଟରୁ ଲଢିବାରୁ ବଞ୍ଚି ହେବା ପରେ ବିଧାନସଭା ମାଟି ମାଡିପାରିନାହାନ୍ତି ବିଜୟ । ବାରମ୍ବାର ପ୍ରୟାସ କରିଛନ୍ତି, ନିର୍ବାଚନମଣ୍ଡଳୀ ମଧ୍ୟ ବଦଳାଇଛନ୍ତି । କିନ୍ତୁ ନବୀନଙ୍କ ଷ୍ଟ୍ରାଟେଜି ଆଗରେ ବାରମ୍ବାର ଫେଲ୍ ମାରିଛନ୍ତି ବିଜୟ । ପାଟକୁରାରୁ ମହାକାଳପଡା । ଗତ ୧୯ ବର୍ଷ ମଧ୍ୟରେ ନିର୍ବାଚନମଣ୍ଡଳୀ ବଦଳିଛି, ପ୍ରତିଦ୍ୱନ୍ଦୀ ବଦଳିଛନ୍ତି, ଭିନ୍ନ ଭିନ୍ନ ଦଳର ଟ୍ୟାଗ୍ ମଧ୍ୟ ହାସଲ କରିଛନ୍ତି ବିଜୟ । ସବୁକିଛି ବଦଳିଥିଲେ ବଦଳିନି ବିଜୟଙ୍କ ଭାଗ୍ୟ । ୍ୱ ପରାଜୟର ପରିଧି ଭିତରୁ ବାହାରିପାରି ନାହାନ୍ତି ବିଜୁ ଅମଳର ନେତା ବିଜୟ ।

ରାଜନୈତିକ ସମୀକ୍ଷକଙ୍କ କହିବା ଅନୁଯାୟୀ, ପାଟକୁରା ନିର୍ବାଚନରେ ବିଜୟ ଲଢୁଥିଲେ ନିଜ ରାଜନୈତିକ କ୍ୟାରିୟରର ଶେଷ ଲଢେଇ । ଯେଉଁଥିପାଇଁ ଏହି ନିର୍ବାଚନରେ ଜିତିବା ପାଇଁ ଜୋର ଲଗାଇ ଦେଇଥିଲେ ବିଜୟ । ସ୍ୱାଭିମାନ ଲଢେଇର ନାରା ଦେଇ ମୈଦାନକୁ ଓହ୍ଲାଇଥିଲେ । ପୁଣିଥରେ ହୋମଗ୍ରାଉଣ୍ଡ ପାଟକୁରାକୁ ଫେରିଥିଲେ ମଧ୍ୟ ଭୋଟରଙ୍କ ଭରସା ଜିତିବାରେ ସକ୍ଷମ ହୋଇନଥିଲେ ଏହି ଭେଟରାନ୍ ନେତା । ଆଉ ୧୭ ହଜାରରୁ ଅଧିକ ଭୋଟରେ ପରାଜିତ ହେବା ପରେ ବିଜୟଙ୍କ ରାଜନୈତିକ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପଡିପାରେ ବୋଲି ଚର୍ଚ୍ଚା ହେଉଛି ।