କନକ ବ୍ୟୁରୋ : ଆଜି ଛତିଶଗଡ଼ରେ ବିଧାନସଭା ନିର୍ବାଚନ । ପ୍ରଥମ ପର୍ଯ୍ୟାୟରେ ୨୦ ଟି ଆସନ ପାଇଁ ଭୋଟ୍ ଗ୍ରହଣ ହେବ । ମୋଟ୍ ୭ଟି ଜିଲ୍ଲାରେ ଏହି ନିର୍ବାଚନ ମଣ୍ଡଳୀ ଗୁଡ଼ିକ ରହିଛି । ମାଓବାଦୀ ପ୍ରଭାବିତ ବସ୍ତର ଡିଭିଜନ୍ ସମେତ ରାଜନନ୍ଦଗାଓଁ, ମୋହଲା-ମାନପୁର-ଅମ୍ବାଗଡ଼ଚୌକି, କବିରଧାମ ଏବଂ ଖୈରାଗଡ଼-ଛୁଇଖାଦାନ-ଗଣ୍ଡାଇରେ ନିର୍ବାଚନ ହେବ ।

Kanak News is now on WhatsApp
Join and get latest news updates delivered to you via WhatsApp
ମୋହଲା-ମାନପୁର, ଅନ୍ତଗଡ଼, ଭାନୁପ୍ରତାପପୁର, କାଙ୍କେର, ଦାନ୍ତେୱାଡା, ବିଜାପୁର ପରି ୧୦ଟି ଆସନରେ ସକାଳ ୭ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ଚାଲିବ । ସେହିପରି ଅନ୍ୟ ୧୦ଟି ଆସନରେ ସକାଳ ୮ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ହେବ । ପ୍ରଥମ ପର୍ଯ୍ୟାୟରେ ମୋଟ ୨୩୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ଯେଉଁଥିରେ ୧୯୮ ପୁରୁଷ ଏବଂ ୨୫ ମହିଳା ପ୍ରାର୍ଥୀ ଅଛନ୍ତି । ଛତିଶଗଡ଼ର ମୋଟ ୪୦ ଲକ୍ଷ ୭୮ ହଜାର ୬୮୧ ଭୋଟର ପ୍ରଥମ ପର୍ଯ୍ୟାୟରେ ମତ ସାବ୍ୟସ୍ତ କରିବେ ।
ସେହିପରି ମିଜୋରାମରେ ମଧ୍ୟ ଆଜି ବିଧାନସଭା ନିର୍ବାଚନ । ସମସ୍ତ ୪୦ ଯାକ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ ପାଇଁ ମିଜୋରାମ ବୋର୍ଡର ଲାଗିଥିବା ମିଆଁମାର ଏବଂ ବାଙ୍ଗଲାଦେଶ ସୀମାକୁ ପୁରା ସିଲ କରାଯାଇଛି । ମିଜୋରାମରେ ମିଜୋ ନ୍ୟାସନାଲ ଫ୍ରଂଟ ଏବେ କ୍ଷମତାରେ ରହିଛି । ଦଳର ନେତା ଜୋରାମଥାଙ୍ଗା ମୁଖ୍ୟମନ୍ତ୍ରୀ ରହିଛନ୍ତି । ୨୦୧୮ରେ ଦଳ ୪୦ଟି ଆସନରୁ ୨୮ଟି ଆସନ ଜିତିଥିଲା । ଏଠାରେ ଶାସକ ଏମଏନଏଫ୍, ବିରୋଧୀ ମିଜୋରାମ୍ ପିପୁଲସ ମୁଭମେଂଟ ଓ କଂଗ୍ରେସ ସମସ୍ତ ୪୦ଟି ଯାକ ଆସନରେ ପ୍ରାର୍ଥୀ ଦେଇଛନ୍ତି । ବିଜେପି ୨୩ଟି ଓ ଆପ୍ ୪ଟି ଆସନରେ ପ୍ରାର୍ଥୀ ଛିଡା କରାଇଛି ।