କନକ ବ୍ୟୁରୋ: ସାରା ଦେଶରେ ଏବେ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭୂତାଣୁ । ଓମିକ୍ରନ୍ ମଧ୍ୟ ଲୋକଙ୍କ ମନରେ ଭୟ ସୃଷ୍ଟି କରୁଛି । ଆଉ ଏହାରି ଭିତରେ ହେବାକୁ ଯାଉଛି ୫ ରାଜ୍ୟରେ ବିଧାନସଭା ନିର୍ବାଚନ । ଏନେଇ ଆଜି ନିର୍ବାଚନ କମିଶନ ସୁଶୀଲ ଚନ୍ଦ୍ର ଗଣମାଧ୍ୟମକୁ ବିସ୍ତୃତ ସୂଚନା ଦେଇଛନ୍ତି । ତେବେ କୋଭିଡ୍ କାଳରେ ଏହି ନିର୍ବାଚନ କେମିତି ହେବ ସେନେଇ ମଧ୍ୟ ସେ ସମସ୍ତ ସୂଚନା ଦେଇଛନ୍ତି ।
ସୂଚନା ମୁତାବକ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁରରେ ହେବାକୁ ଥିବା ଏହି ନିର୍ବାଚନରେ ମୋଟ୍ ୬୯୦ଟି ବିଧାନସଭା ସିଟ୍ ପାଇଁ ଲଢେଇ ହେବ । ତେବେ କୋଭିଡ୍ ସେଫ୍ ଇଲେକ୍ସନ୍ କରିବା ନିର୍ବାଚନ୍ ଆୟୋଗର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି । ଅନ୍ୟପଟେ ଏଥର ଏହି ୫ଟି ରାଜ୍ୟରେ ମୋଟ ୧୮.୩୪ କୋଟି ଜନତା ସେମାନଙ୍କର ନେତା ବାଛିବେ । ତେବେ ଏହି ବିଶାଳ ନିର୍ବାଚନ ପ୍ରକ୍ରିୟାରେ ପ୍ରଥମ କରି ପ୍ରାୟ ୨୪.୯ ଲକ୍ଷ ଭୋଟର ପ୍ରଥମ କରି ଭୋଟ୍ ଦେବେ ।
ସୁରକ୍ଷା ଦୃଷ୍ଟିରୁ ସମସ୍ତ ପୋଲିଂ ବୁଥରେ ସୁରକ୍ଷାକର୍ମୀ ନିୟୋଜିତ ହେବେ । ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ମଧ୍ୟ ସମସ୍ତ ସୁବିଧା ଉପଲବ୍ଧ ହେବ । କୋଭିଡ୍ ସଂକ୍ରମିତ ମଧ୍ୟ ଭୋଟ୍ ଦେଇପାରିବେ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ଅନ୍ୟପଟେ ନିର୍ବାଚନରେ ଠିଆ ହେବାକୁ ଥିବା ପ୍ରାର୍ଥୀମାନେ ଅନଲାଇନ୍ ଜରିଆରେ ନିଜର ନୋମିନେସନ୍ କରିପାରିବେ । ବୟସ୍କ ବ୍ୟକ୍ତିଙ୍କ ପାଇଁ ପୋଷ୍ଟାଲ ବାଲାଟ୍ ମଧ୍ୟ ଉପଲବ୍ଧ ହେବ । ସେହିପରି ନିର୍ବାଚନରେ ପୋଲିଂରେ ନିଯୁକ୍ତ ହେବାକୁ ଥିବା ସମସ୍ତ ଅଫିସର ବୁଷ୍ଟର ଡୋଜ୍ ନେବା ସହିତ ସେମାନଙ୍କୁ ସମ୍ମୁଖ ଯୋଦ୍ଧାର ମାନ୍ୟତା ପ୍ରଦାନ କରାଯିବ । ପୋଲିଂରେ ନିଯୁକ୍ତ ଥିବା ସମସ୍ତ ଅଫିସରଙ୍କ ସୁରକ୍ଷାକୁ ସବୁଠାରୁ ଅଧିକ ଦୃଷ୍ଟି ଦିଆଯାଉଛି ବୋଲି କୁହାଯାଇଛି ।
ତେବେ ଜାଣନ୍ତୁ, କେଉଁ ରାଜ୍ୟରେ କେବେ ପଡିବ ଭୋଟ୍
ଉତ୍ତରପ୍ରଦେଶ
- ପ୍ରଥମ ପର୍ଯ୍ୟାୟ - ଫେବୃଆରୀ ୧୦
- ଦ୍ୱିତୀୟ ପର୍ଯ୍ୟାୟ - ଫେବୃଆରୀ ୧୪
- ତୃତୀୟ ପର୍ଯ୍ୟାୟ- ଫେବୃଆରୀ ୨୦
- ଚତୁର୍ଥ ପର୍ଯ୍ୟାୟ- ଫେବୃଆରୀ ୨୩
- ପଞ୍ଚମ ପର୍ଯ୍ୟାୟ- ଫେବୃଆରୀ ୨୭
- ଷଷ୍ଠ ପର୍ଯ୍ୟାୟ – ମାର୍ଚ୍ଚ ୩
- ସପ୍ତମ ପର୍ଯ୍ୟାୟ- ମାର୍ଚ୍ଚ ୭
- ଭୋଟ ଗଣନା - ମାର୍ଚ୍ଚ ୧୦
ମଣିପୁର
- ପ୍ରଥମ ପର୍ଯ୍ୟାୟ - ଫେବୃଆରୀ ୨୭
- ଦ୍ୱିତୀୟ ପର୍ଯ୍ୟାୟ - ମାର୍ଚ୍ଚ ୩
- ଭୋଟ ଗଣନା - ମାର୍ଚ୍ଚ ୧୦
ପଞ୍ଜାବ, ଗୋଆ, ଉତ୍ତରାଖଣ୍ଡ
- ପ୍ରଥମ ପର୍ଯ୍ୟାୟ - ଫେବୃଆରୀ ୧୪
- ଭୋଟ ଗଣନା - ମାର୍ଚ୍ଚ ୧୦