ସ୍କୁଲ ବନ୍ଦ ପ୍ରସଙ୍ଗରେ ଉଠିଲା ପଡ଼ିଲା ବିଧାନସଭା । ବାଚସ୍ପତିଙ୍କ ପୋଡିୟମ ସାମନାରେ ମୁଣ୍ଡ ପିଟିଲେ ତାରା । କହିଲେ, ନିଷ୍ପତି ନବଦଳାଇଲେ ଦେବେ ଆତ୍ମହୁତି

222

କନକ ବ୍ୟୁରୋ : ସ୍କୁଲ ବନ୍ଦ ନିଷ୍ପତିକୁ ବିରୋଧ କରି ପୋଡିୟମରେ ମୁଣ୍ଡ ବାଡେଇ ଦେଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ରାଜ୍ୟରେ ୧୪ ହଜାର ପ୍ରାଇମେରୀ ସ୍କୁଲ ବନ୍ଦ ପ୍ରସଙ୍ଗରେ ବିଧାନସଭାରେ ଦେଖିବାକୁ ମିଳିଥିଲା ବିରୋଧୀଙ୍କ ତୁମ୍ବିତୋଫାନ । ଗୃହ ଆରମ୍ଭରୁ ସରକାରଙ୍କ ନିଷ୍ପତିକୁ ନେଇ ଜୋରଦାର ବିରୋଧ କରିଥିଲେ ବିଜେପି ଓ କଂଗ୍ରେସ ସଦସ୍ୟ ।

ସ୍କୁଲ ବନ୍ଦ ହେଲେ ଉପାନ୍ତ ଅଂଚଳ ଓ ଗରିବ ପିଲା କିପରି ପାଠ ପଢ଼ିବେ, ସେମାନଙ୍କ ଭବିଷ୍ୟତ କ’ଣ ହେବ, ଏଭଳି ପ୍ରଶ୍ନ ପଚାରି ସରକାରଙ୍କୁ ଘେରିଥିଲେ ବିରୋଧୀ । ସ୍କୁଲ ବନ୍ଦ ନିଷ୍ପତିକୁ ପ୍ରତ୍ୟାହାର ନକଲେ ବିଧାନସଭାରେ ଆତ୍ମାହୂତି ଦେବେ ବୋଲି ଧମକ ଦେଇଛନ୍ତି ତାରା ।

ବିଜେପି ସଦସ୍ୟମାନେ ମଧ୍ୟ ସରକାରଙ୍କ ନିଷ୍ପତିକୁ ଜୋରଦାର ବିରୋଧ କରିଥିଲେ । ଗୃହର ସମସ୍ତ କାର୍ଯ୍ୟକୁ ବାତିଲ କରି ସରକାର ଆଲୋଚନାକୁ ଆସି ଉତର ଦେବାକୁ ଦାବି କରିଥିଲା ବିରୋଧୀ । ସେପଟେ ବିରୋଧୀଙ୍କ ପ୍ରଶ୍ନର ଉତର ରଖି ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର କହିଥିଲେ, ସରକାର ମନଇଚ୍ଛା ସ୍କୁଲ ବନ୍ଦ କରୁନାହାନ୍ତି, ଗାଇଡଲାଇନ ଅନୁଯାୟୀ ବନ୍ଦ ହେଉଛି ।

ସ୍କୁଲ ବନ୍ଦକୁ ନେଇ ଦିନତମାମ ବିଧାନସଭାରେ ଅଚଳାବସ୍ଥା ଜାରି ରହିଥିଲା । ବିରୋଧୀଙ୍କ ହୋ-ହଲ୍ଲା ଭିତରେ ୮ ଥର ଗୃହ ମୂଲତବୀ ରହିଥିଲା । ଶେଷରେ ସର୍ବଦଳୀୟ ବୈଠକ ଡାକି ବିରୋଧୀ ସଦସ୍ୟଙ୍କ ସହ ବାଚସ୍ପତି ଆଲୋଚନା କରିଥିଲେ । ସର୍ବଦଳୀୟ ବୈଠକରେ ହୋଇଥିବା ନିଷ୍ପତି ଅନୁସାରେ ରବିବାର ଦିନ ବିଧାନସଭାରେ ବିସ୍ତୃତ ଭାବେ ଏ ନେଇ ଆଲୋଚନା କରାଯିବ ବୋଲି କହିଛନ୍ତି ବାଚସ୍ପତି ।