ବିଧାନସଭାରେ ଶୋକ ପ୍ରସ୍ତାବକୁ ନେଇ ରାଜନୀତି! କେଭି ସିଂହଦେଓ କହିଲେ, ଆଜିର ଶାସନ ଦେଖିଥିଲେ ପଶ୍ଚାତାପ କରିଥାନ୍ତେ ବାଜପେୟୀ, ବିଜେଡି ଓ କଂଗ୍ରେସ କଲେ ବିରୋଧ

36

କନକ ବ୍ୟୁରୋ : ମୌସୁମୀ ଅଧିବେଶନର ପ୍ରଥମ ଦିନରୁ ହିଁ ଆରମ୍ଭ ହୋଇଗଲା ବିବାଦ । ଆଜି ଅଧିବେଶନ ଆରମ୍ଭରେ ମୁଖ୍ୟମନ୍ତ୍ରୀ ଶୋକପ୍ରସ୍ତାବ ଆଗତ କରିଥିଲେ । ତେବେ ଏହି ଆଲୋଚନା ସମୟରେ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ କହିଥିଲେ ବାଜପେୟୀ, ନବୀନଙ୍କୁ ନେତା ହେବାରେ ସହଯୋଗ କରିଥିଲେ ଏବଂ ଆଜି ଯଦି ବାଜପେୟୀ ଓଡିଶାର ଶାସନ ଦେଖିଥାଆନ୍ତେ, ତେବେ ପଶ୍ଚାତାପ କରିଥାନ୍ତେ । କେଭିଙ୍କ ଏହି ବୟାନକୁ ବିଜେଡି ତୀବ୍ର ବିରୋଧ କରିଥିଲା । ବିଜେଡି କହିଛି, ଶୋକପ୍ରସ୍ତାବ ଆଲୋଚନାରେ ଏଭଳି ରାଜନୀତି, ଗ୍ରହଣୀୟ ନୁହେଁ ।

ବିଧାନସଭାର ମୌସୁମୀ ଅଧିବେଶର ପ୍ରଥମ ଦିନରେ ଶୋକ ପ୍ରସ୍ତାବ ନେଇ ଆଲୋଚନା ଆରମ୍ଭ ହେବା ପରେ ବିଜେପି ବିଧାୟକ ଦଳ ନେତାଙ୍କ ଏହି ବୟାନ, ଆରମ୍ଭରୁ ହିଁ ବିବାଦ ସୃଷ୍ଟି କରିଦେଲା । ଯଦି ବାଜପେୟୀ ଆଜି ଓଡିଶାର ଶାସନ ଦେଖି ଥାଆନ୍ତେ ତେବେ ନିଶ୍ଚୟ ପଶ୍ଚାତାପ କରିଥାଆନ୍ତେ । ବିଜେପି ବିଧାୟକ ଦଳ ନେତାଙ୍କ ଏହି ବୟାନକୁ ଗ୍ରହଣ କରିପାରୁନାହିଁ ବିଜେଡି । କାରଣ ଶୋକପ୍ରସ୍ତାବ ଆଲୋଚନା ବେଳେ ଏଭଳି ରାଜନୀତିର ଦୃଷ୍ଟାନ୍ତ ନାହିଁ ।

ସେପଟେ ଶୋକପ୍ରସ୍ତାବ ଆଗତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ବାଜପେୟୀ ଜଣେ ଆଦର୍ଶବାଦୀ ନେତା ଥିଲେ । ଏବଂ ତାଙ୍କର ବିୟୋଗ ତାଙ୍କ ପାଇଁ ବ୍ୟକ୍ତିଗତ ଭାବେ ମଧ୍ୟ ଏକ ବଡ କ୍ଷତି । ଶୋକପ୍ରସ୍ତାବରେ କେଭିଙ୍କ ବୟାନକୁ ନେଇ ବିବାଦ ଆରମ୍ଭ ହେବା ପରେ ଏହାର ସ୍ପଷ୍ଟୀକରଣ ରଖି ବିଜେପି ବିଧାୟକ ଦଳ ନେତା କହିଥିଲେ, ସେ ତାଙ୍କ ମନର କଥା କହିଛନ୍ତି ।

ଆଜିଠାରୁ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାବଳୀ ଥିବା ବେଳେ ପ୍ରଥମ ଦିନରୁ ହିଁ କନକ ବର୍ଦ୍ଧନଙ୍କ ବୟାନକୁ ନେଇ ବିବାଦ ଦେଖାଦେଇଛି । ତେବେ କନକ ବର୍ଦ୍ଧନଙ୍କ ମନ୍ତବ୍ୟକୁ ନେଇ ବିଜେପି କଣ ଆଭିମୁଖ୍ୟ ଗ୍ରହଣ କରୁଛି ତା ଉପରେ ସମସ୍ତଙ୍କ ନଜର ।