ପରୀ ମୃତ୍ୟୁ ମାମଲାରେ ସରକାରଙ୍କ ଏସଆଇଟି ତଦନ୍ତ ନିର୍ଦ୍ଦେଶ ପରେ ବି ଚାଲି ପାରିଲାନି ଗୃହ । ସିବିଆଇ ତଦନ୍ତ ଓ କୃଷି ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ପୁଣି ବିରୋଧୀଙ୍କ ହଙ୍ଗାମା । ଆସନ୍ତାକାଲି ଯାଏଁ ଗୃହ ମୁଲତବୀ

78

କନକ ବ୍ୟୁରୋ : ପରୀ ମୃତ୍ୟୁ ମାମଲାରେ ସରକାରଙ୍କ ଏସଆଇଟି ତଦନ୍ତ ନିର୍ଦ୍ଦେଶ ପରେ ବି ଚାଲି ପାରିଲାନି ଗୃହ । ସିବିଆଇ ତଦନ୍ତ ଓ କୃଷି ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ପୁଣି ବିରୋଧୀଙ୍କ ହଙ୍ଗାମା କରିଛନ୍ତି । ବିରୋଧୀଙ୍କୁ ନିଜ ନିଜ ସ୍ଥାନରେ ବସିବା ପାଇଁ ବାଚସ୍ପତି ଯେତେ କହିଲେ ବି ବିରୋଧୀ ସଦସ୍ୟ ଶୁଣିଲେ ନାହିଁ । ତେଣୁ ଆସନ୍ତାକାଲି ସକାଳ ସାଢେ ୧୦ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

ପରୀ ମୃତ୍ୟୁ ମାମଲାରେ ଏସଆଇଟି ତଦନ୍ତ ହେବ । ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଭିଡିଓ କନଫରେନସିଂରେ ଗୃହ କାର୍ଯ୍ୟରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ପରୀ ମୃତ୍ୟୁ ଘଟଣାରେ ସେ ମର୍ମାହତ । ସ୍ୱଚ୍ଛ ଓ ନିରପେକ୍ଷ ତଦନ୍ତ ଉପରେ ତାଙ୍କ ସରକାର ବିଶ୍ୱାସ କରେ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ବିରୋଧୀଙ୍କୁ ନିବେଦନ କରିଛନ୍ତି ।

ଆଜି ଗୃହ କାର୍ଯ୍ୟ ଆରମ୍ଭରୁ ପରୀ ମୃତ୍ୟୁ ମାମଲାର ଏସଆଇଟି ତଦନ୍ତ ନିର୍ଦେଶ ସହ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରି ବିରୋଧୀ ହଙ୍ଗାମା କରିଥିଲେ । ସେପଟେ ଏସଆଇଟି ତଦନ୍ତ ନିର୍ଦେଶରେ ସନ୍ତୁଷ୍ଟ ନୁହେଁ ବିରୋଧୀ ବିଜେପି । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ପରୀ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ କରାଯାଉ । କଂଗ୍ରେସ ଏସ୍ଆଇଟି ତଦନ୍ତ ପାଇଁ ଦାବି କରୁଥିଲା । ତେଣୁ ଏସ୍ଆଇଟି ତଦନ୍ତରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବା ନେଇ ସନ୍ଦେହ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ।

ମୁଖ୍ୟମନ୍ତ୍ରୀଙ୍କ ଏସଆଇଟି ତଦନ୍ତ ଘୋଷଣା ପରେ ବିଜେଡ଼ି ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ପ୍ରତିକ୍ରିୟା ରଖି କହିଛନ୍ତି ଘଟଣାକୁ ନେଇ ବିରୋଧୀ ରାଜନୀତି କରୁଛି । ତାଙ୍କର ଆଲୋଚନାକୁ ଆସିବାକୁ ଇଛା ନାହିଁ । ପରୀ ମୃତ୍ୟୁ ମାମଲାର ଏସଆଇଟି ତଦନ୍ତ ଦାବି କରୁଥିଲା କଂଗ୍ରେସ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଏସଆଇଟି ତଦନ୍ତ ନିର୍ଦେଶ ପରେ କଣ ରହିବ କଂଗ୍ରେସର ଆଭିମୁଖ୍ୟ । ଏନେଇ ସର୍ବଦଳୀୟ ବୈଠକ ପରେ କଂଗ୍ରେସ ନିଷ୍ପତି କରିବ ବୋଲି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି । କାରଣ ଏସଆଇଟି ତଦନ୍ତ ସହ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଥିଲା କଂଗ୍ରେସ ।

ସେପଟେ ପରୀ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଂଚ । ଆଇନଶୃଙ୍ଖଳା ଏଡିଜି ଜଶୱନ୍ତ ଜେଠୁଆଙ୍କ ନେତୃତ୍ୱରେ ଏକ ଟିମ ନୟାଗଡର ଯଦୁପୁର ଯାଇ ତଦନ୍ତ କରିଛି । କ୍ରାଇମବ୍ରାଂଚର ଏକ ଟିମ ନୟାଗଡରେ ପହଂଚି ତଦନ୍ତ ଆରମ୍ଭ କରିଥିବା ବେଳେ ଏଡିଜି ଆଜି ଏହାର ତଦାରଖ କରିଛନ୍ତି । ପରୀର ବାପା ମାଆ ରହୁଥିବା ଅଜାଘର ଯୋଗିଆ ପାଲ୍ଲୀ ଗାଁରେ ପହଂଚି ବାପା ମାଆଙ୍କ ସହ ଆଲୋଚନା କରିଛନ୍ତି । ଏପରିକି ସେମାନଙ୍କୁ ସାଙ୍ଗରେ ନେଇ ଯଦୁପୁର ଗାଁରେ ପହଂଚିଥିଲେ ।

ପରୀ ଅପହରଣ ଘଟଣାର ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ, କାହା ଉପରେ ସନ୍ଦେହ ହେଉଛି ଏବଂ କାହାର ସଂପୃକ୍ତି ଥାଇପାରେ, ସେନେଇ ପଚାରି ବୁଝିଛନ୍ତି । ବଡ କଥା ହେଉଛି, କ୍ରାଇମବ୍ରାଂଚର ପ୍ରାଥମିକ ତଦନ୍ତ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି, ପରୀର ବାପା ମାଆ ।