ବିଧାନସଭାରେ ବିରୋଧୀଙ୍କ ଜୋରଦାର ହଙ୍ଗାମା । ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିଲେ ବିଧାୟକ । ଆସନ୍ତାକାଲି ଯାଏଁ ଗୃହ ମୁଲତବି ।

87

କନକ ବ୍ୟୁରୋ: ବିଧାନସଭାରେ ବିରୋଧୀଙ୍କ ଜୋରଦାର ହଙ୍ଗାମା ଓ ହଟ୍ଟଗୋଳ ପରେ ଗୃହ ମୁଲତବି । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଆସନ୍ତାକାଲି ୧୦ଟା ୩୦ ଯାଏଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି । ଶୁକ୍ରବାର ଚାଷୀ ଓ ମଣ୍ଡି ପ୍ରସଙ୍ଗକୁ ନେଇ ବିଧାନସଭା କମ୍ପିଥିଲା । ବିରୋଧୀମାନେ ଏହାକୁ ନେଇ ପ୍ରବଳ ହଟ୍ଟଗୋଳ କରିବା ସହିତ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିଯାଇଥିଲେ । ଏପରିକି ବିରୋଧୀମାନେ ବାଚସ୍ପତିଙ୍କ ପୋଡିୟମ କାଚକୁ ମଧ୍ୟ ଖସାଇ ଦେଇଥିଲେ । ଏହାପରେ ବାଚସ୍ପତି ଆସନ୍ତାକାଲି ଯାଏଁ ଗୃହକୁ ମୁଲତବି ରଖିଛନ୍ତି ।

ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ ପ୍ରଶ୍ନକାଳ ଆରମ୍ଭରୁ ଗୃହ ଅଚଳ ହୋଇଥିଲା । ଚାଷୀ ଓ ମଣ୍ଡି ପ୍ରସଙ୍ଗକୁ ନେଇ ବିରୋଧୀ ହଟ୍ଟଗୋଳ କରିବା ଫଳରେ ବାରମ୍ବାର ଗୃହ ମୁଲତବି ରଖାଯାଇଥିଲା । ଏହାପରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ । ବୈଠକ ବସିବା ପରେ ଅପରାହ୍ଣରେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ହେଲେ ବିରୋଧୀମାନେ ପୁଣି ହଙ୍ଗାମା କରିଥିଲେ । ଏହାପରେ ବାଚସ୍ପତି ବିଧାନସଭାକୁ ମୁଲତବି ଘୋଷଣା କରିଛନ୍ତି ।

ଅନ୍ୟପଟେ ଧାନକିଣା ପ୍ରସଙ୍ଗରେ ବାଚସ୍ପତି ଆସନ୍ତାକାଲି ବିଭାଗୀୟ ମନ୍ତ୍ରୀଙ୍କୁ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଭାଗୀୟ ମନ୍ତ୍ରୀ ଆସନ୍ତାକାଲି ଉତ୍ତର ରଖିବା ସହିତ ଆଗାମୀ ୭ ଦିନ ପରେ ଧାନକିଣାର ଅଗ୍ରଗତି ସମ୍ପର୍କରେ ସୂଚନା ଦେବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।