ଆଜି ବି ସମାନ ସ୍ଥିତି । ଲଗାତାର ଚତୁର୍ଥ ଦିନ ଗୃହରେ ଅଚଳାବସ୍ଥା ଜାରି, ଦିନ ୧୧ଟା ୩୦ ଯାଏଁ ଗୃହ ମୁଲତବି ।

61

କନକ ବ୍ୟୁରୋ : ସ୍ୱାଭାବିକ ହେଉନି ବିଧାନସଭା । ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନର ଲଗାତାର ଚତୁର୍ଥ ଦିନରେ ଗୃହରେ ଅଚଳାବସ୍ଥା ଜାରି ରହିଛି । ଉଭୟ ଶାସକ-ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ଦିନ ୧୧ଟା ୩୦ ଯାଏଁ ମୁଲତବି କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

ଗୃହରେ ଆଜି ମଧ୍ୟ ସମାନ ପ୍ରସଙ୍ଗକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ ହୋଇଛନ୍ତି ।  ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗରେ ସୁବାସଙ୍କ କ୍ଷମା ପ୍ରାର୍ଥନା ବିଜେଡି ଦାବି କରୁଥିବା ବେଳେ ମଣ୍ଡି ସମସ୍ୟାକୁ ନେଇ ବିରୋଧୀ ଗୃହର ମଧ୍ୟ ଭାଗରେ ହୋ-ହାଲ୍ଲା କରିଛନ୍ତି । ଫଳରେ ଦିନ ୧୧ଟା ୩୦ ଯାଏଁ ଗୃହକୁ ମୁଲତବି କରିଛନ୍ତି ବାଚସ୍ପତି । ବିଧାନସଭାରେ ସେହି ସମାନ ପ୍ରସଙ୍ଗକୁ ଗତ ୩ ଦିନ ହେବ ଅଚଳାବସ୍ଥା ଜାରି ରହିଥିଲା । ଆଉ ଆଜି ମଧ୍ୟ ସେହି ସମାନ ଚିତ୍ର ଦେଖିବାକୁ ମିଳିଛି । ତେବେ ଏସବୁ ଭିତରେ ବାଚସ୍ପତି କେବେ ସର୍ବଦଳୀୟ ବୈଠକ ଡାକି ଏ ପ୍ରସଙ୍ଗରେ ଆଲୋଚନା କରୁଛନ୍ତି ଓ ଗୃହ ସ୍ୱାଭାବିକ ଅବସ୍ଥାକୁ ଫେରୁଛି ତାହା ଉପରେ ସମସ୍ତଙ୍କର ନଜର ରହିଛି ।