ବିଧାନସଭାରେ ଶାସକ-ବିରୋଧୀଙ୍କ ହଙ୍ଗାମା । ୧୧ଟା ୩୦ ଯାଏଁ ଗୃହ ମୁଲତବୀ, ବିଜେଡିର ଦାବି ସୁବାସ କ୍ଷମା ନ ମାଗିବା ଯାଏଁ ଚଲାଇଦେବୁନି ଗୃହ ।

127

କନକ ବ୍ୟୁରୋ : ବିଧାନସଭାରେ ଶାସକ-ବିରୋଧୀ ମୁହାଁମୁହିଁ । ଗୃହକୁ ଅପରାହ୍ନ ୧୧ଟା ୩୦ ଯାଏଁ ମୁଲତବୀ କଲେ ବାଚସ୍ପତି । ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ ଗୃହରେ ଏଭଳି ଚିତ୍ର ଦେଖିବାକୁ ମିଳିଛି । ମଣ୍ଡି ଓ ଧାନ କିଣା ପ୍ରସଙ୍ଗରେ ଗୃହରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଆତ୍ମହତ୍ୟା ଧମକ ଦେଉଥିବାରୁ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ଦାବି କରି ବିଜେଡି ପ୍ରଥମରୁ ପ୍ରତିବାଦ କରିଥିଲା । ନିଜ ଆସନରେ ରହି ପ୍ରତିବାଦ କରିଥିଲେ ବିଜେଡି ସଦସ୍ୟ । ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଥିଲେ, ବିଧାନସଭାର ପବିତ୍ର ଗୃହରେ ଆତ୍ମହତ୍ୟା ଧମକ ଦେଉଥିବାରୁ ସୁବାସ ତୁରନ୍ତ କ୍ଷମା ମାଗନ୍ତୁ । ଯଦି କିଛି ସମସ୍ୟା ରହିଛି ତେବେ ସରକାର ଓ ମନ୍ତ୍ରୀଙ୍କ ସହ ଆଲୋଚନା କରିପାରିଥାନ୍ତେ । କିନ୍ତୁ ଆତ୍ମହତ୍ୟା ଧମକ ଦେବା ଗ୍ରହଣଯୋଗ୍ୟ ନୁହେଁ । ସୁବାସ କ୍ଷମା ନ ମାଗିବା ପର୍ଯ୍ୟନ୍ତ ଗୃହ ଚଲାଇଦେବୁନି ବୋଲି କହି ବାଚସ୍ପତିଙ୍କ ପୋଡିୟମ ତଳେ ପ୍ରତିବାଦ କରିଥିଲେ ବିଜେଡି ସଦସ୍ୟ ।

ସେହିଭଳି ମଣ୍ଡି ଅବ୍ୟବସ୍ଥାକୁ ନେଇ ବିଧାନସଭାରେ ହଙ୍ଗାମା କରିଛନ୍ତି ବିରୋଧୀ ।  ଗୃହ ମଧ୍ୟଭାଗରେ ବିଜେପି-କଂଗ୍ରେସ ସଦସ୍ୟ ପାଟିତୁଣ୍ଡ ସହ ହଟ୍ଟଗୋଳ କରିଥିଲେ । ଆଉ ଏହାପରେ ଦିନ ୧୧ଟା ୩୦ ଯାଏଁ ଗୃହକୁ ମୁଲତବୀ କରିଥିଲେ ବାଚସ୍ପତି ।