ଗୃହକୁ ଗରମ କଲା ସ୍ମିତାରାଣୀ ହତ୍ୟା ମାମଲା । ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ । କଂଗ୍ରେସ କଲା କକ୍ଷତ୍ୟାଗ, ଗୃହ ମୁଲତବୀ କଲେ ବାଚସ୍ପତି

211

କନକ ବ୍ୟୁରୋ: ଆସନ୍ତା କାଲି ଯାଏଁ ବିଧାନସଭା ମୁଲତବୀ । ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପିଇଓ ସ୍ମିତାରାଣୀ ହତ୍ୟା ମାମଲାକୁ ନେଇ ହଙ୍ଗାମା କରିଥିଲେ ବିରୋଧୀ  । ଆଉ ପରିସ୍ଥିତି ଏଭଳି ହୋଇଥିଲା କି ମୁଲତବୀ ଦ୍ୱିତୀୟ ଦିନରେ ବି ଗୃହରେ ସ୍ମିତାରାଣୀ ତାତି ଦେଖିବାକୁ ମିଳିଥିଲା । ଯାହା ଫଳରେ ହତ୍ୟା ମାମଲା ନେଇ ହଙ୍ଗାମା କରିବା ପରେ ରାଜ୍ୟ ସରକାରଙ୍କ ଠାରୁ ସନ୍ତୁଷ୍ଟିଜନକ ଉତ୍ତର ନ ପାଇବାରୁ କକ୍ଷତ୍ୟାଗ କରିଛି କଂଗ୍ରେସ । ତେଣୁ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହମୁଲତବୀ କରିଛନ୍ତି ବାଚସ୍ପତି ।

ସେପଟେ ବିଧାନସଭା ଶୀତ ଅଧିବେଶନର ସ୍ମିତାରାଣୀଙ୍କ ମୃତ୍ୟୁ ନେଇ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା  ଦାବି କରିଥିଲେ ବିରୋଧୀଦଳ । ଏହାପରେ ମୁଲତବୀ ପ୍ରସ୍ତାବର ଉତ୍ତର ରଖିଥିଲେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ମାତ୍ର ଏଥିରେ ବିରୋଧୀ ଦଳ ସନ୍ତୁଷ୍ଟ ନ ହୋଇ ମୁଖ୍ୟମନ୍ତ୍ରୀଙ୍କଠାରୁ ଉତ୍ତର ଦାବି କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖି କହିଥିଲେ ଯେ, ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ସ୍ମିତାରାଣୀଙ୍କ ମୃତ୍ୟୁ ଆତ୍ମହତ୍ୟା ଜନିତ । ତେବେ କଂଗ୍ରେସ ପକ୍ଷରୁ ଏହାକୁ ବିରୋଧ କରାଯାଇ ସିବିଆଇ କିମ୍ବା ଏସଟିଏଫ୍ ତଦନ୍ତ ଦାବି କରାଯାଇ କକ୍ଷତ୍ୟାଗ କରାଯାଇଥିଲା ।

ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଓ ବିଜେପି ବିଧାୟକମାନେ ହଟ୍ଟଗୋଳ କରିଥିଲେ । ପ୍ରଶ୍ନ ଉତ୍ତର କାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଧାୟକ ଗୃହ ଭିତରେ ହଟ୍ଟଗୋଳ କରିଥିଲେ । ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ ବିଜେପି ବିଧାୟକ । ସ୍ମିତାରାଣୀ ମୃତ୍ୟୁ ଘଟଣାରେ ତଦନ୍ତ ଦାବି, ଯାଜପୁର ଏସପିଙ୍କ ବହିଷ୍କାର, ବେଆଇନ ଘରର ପୃଷ୍ଠପୋଷକ କିଏ , ରଂଗଶାଳାରୁ ସିସିଟିଭି ଗଲା କୁଆଡେ ବୋଲି ବିଜେପି ବିଧାୟକମାନେ ପ୍ରଶ୍ନ ଉଠାଇଥିଲେ ।

ସରକାରୀ କାଗଜପତ୍ରରେ ରଙ୍ଗଶାଳାକୁ ଭାଙ୍ଗି ଦିଆଯାଇଛି କେମିତି ? ଜଣେ ଅଣ ଓଡ଼ିଆ ଏସପି ଜଣେ ଓଡ଼ିଆ ବୋହୂର ଇଜ୍ଜତ ହନନ କରିବେ ? କଂଗ୍ରେସ ନେତା ଶ୍ରୀ ମିଶ୍ର ଗୃହ ବାହାରେ ଆଉ ଦି’ ପାଦ ଆଗକୁ ଯାଇ ସରକାରଙ୍କୁ ପଚାରିଛନ୍ତି ଯେ ଜଣେ ଚା’ ବାଲା ଶହ ଶହ କୋଟିର ମାଲିକ ହେଲା କେମିତି ? ଶବ ବ୍ୟବଚ୍ଛେଦ ରିପୋର୍ଟର ଆଉ ଥରେ ବ୍ୟବଚ୍ଛେଦ କରାଯିବାର ଆବଶ୍ୟକତା ରହିଛି । ସ୍ମିତାରାଣୀ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କରି ବିଧାନସଭାରେ ବିଜେପି ସଦସ୍ୟଙ୍କ ହଟ୍ଟଗୋଳ । ଆସନ୍ତାକାଲି ଯାଏଁ ଗୃହ ମୁଲତବୀ କଲେ ବାଚସ୍ପତି ।