ଜଷ୍ଟିସଙ୍କ ପାଇଁ ଗୃହ ଅଚଳ : କମିଶନଙ୍କୁ ପଦଚ୍ୟୁଦ ସହ ମନ୍ତ୍ରୀ ଦାସବର୍ମାଙ୍କ ଇସ୍ତଫା ଦାବିରେ ଅଡି ବସିଲେ ବିରୋଧୀ

39

ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ୍ : ଚିଟଫଣ୍ଡ ପ୍ରସଙ୍ଗରେ କ୍ରମାଗତ ତୃତୀୟ ଦିନ ପାଇଁ ବିଧାନସଭାରେ ଅଚଳାବସ୍ଥା ଜାରି ରହିଛି । ଗୃହର ମଧ୍ୟ ଭାଗରେ ବିରୋଧୀମାନେ କରିଥିଲେ ହଙ୍ଗାମା । ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ଇସ୍ତଫା ଓ ଜଷ୍ଟିସ୍ ଏମ୍ଏସ୍ ଦାସଙ୍କୁ ବହିଷ୍କାର ଦାବିରେ ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟଙ୍କ ଟାର୍ଗେଟରେ ଥିଲା ଶାସକ ଦଳ । ଫଳରେ ବିରୋଧୀଙ୍କ ହୋହଲ୍ଲା ଯୋଗୁଁ ଗୃହକୁ ବାରମ୍ବାର ମୁଲତବୀ କରିଥିଲେ ବାଚସ୍ପତି । ମନ୍ତ୍ରୀଙ୍କ ଇସ୍ତଫା ଓ ଜଷ୍ଟିସଙ୍କ ବହିଷ୍କାର ଦାବି ଲେଖାଥିବା ଗାଉନ ପିନ୍ଧି ବିଜେପି ସଦସ୍ୟମାନେ ହୋହହ୍ଲା କରିଥିବା ବେଳେ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟ ଭାଗରେ ହଙ୍ଗାମା କରିଥିଲେ । ଉଭୟ କଂଗ୍ରେସ ଓ ବିଜେପିର ହଙ୍ଗାମାରେ ଗୃହରେ ହୋଇଥିଲା ଅଚଳାବସ୍ତା । ଅନ୍ୟପଟେ ବାଚସ୍ପତିଙ୍କ ମାଇକ୍ ଭାଙ୍ଗିଛନ୍ତି ବିଜେପି ସଦସ୍ୟା ରାଧାରାଣୀ ପଣ୍ଡା ।

ବିଧାନସଭା ଆରମ୍ଭରୁ ହିଁ ଜୋର ଧରିଥିଲା ଚିଟ୍ଫଣ୍ଡ ପ୍ରସଙ୍ଗରେ ସଂଜୟ ଦାସବର୍ମାଙ୍କ ଇସ୍ତଫା ଓ ଜଷ୍ଟିସ ଏମଏମ ଦାସଙ୍କ ବହିଷ୍କା ଦାବି । ବାଚସ୍ପତିଙ୍କ କଟକଣା ସତ୍ୱେ ଗୃହକୁ ପ୍ଲାକାର୍ଡ ପିନ୍ଧି ଆସିଲେ ବିଜେପି କର୍ମୀ । ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବ୍ୟାଗରେ ଧରି ଆସିଥିବା ପ୍ଲାକାର୍ଡ ପିନ୍ଧି ବିଜେପି ବିଧାୟକମାନେ ମଧ୍ୟଭାଗକୁ ଚାଲିଆସିଥିଲେ । ବିଜେପି ସଦସ୍ୟଙ୍କ ସହ ସ୍ୱର ମିଳାଇ ଉଭୟଙ୍କ ଇସ୍ତଫା ଦାବି କରିଥିଲେ କଂଗ୍ରେସ ବିଧାୟକ ।

ତେବେ ବିରୋଧୀଙ୍କ ହଙ୍ଗାମା ଭିତରେ ୨୦୧୪-୨୦୧୫ ଆର୍ଥିକ ବର୍ଷର ସିଏଜି ରିପୋର୍ଟ ଉପସ୍ଥାପନ କରାଯାଇଛି । ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ ଏହି ରିପୋର୍ଟ ଉପସ୍ଥାପନ କରିଛନ୍ତି । ରାଜସ୍ୱ ଆୟ ୨୦୧୦-୧୧ ରୁ ୨୦୧୪-୧୫ ମଧ୍ୟରେ ୭୧କୁ ବୃଦ୍ଧି ହୋଇଛି । ଚଳିତ ବର୍ଷ ରାଜସ୍ୱ ବ୍ୟୟ ପରିମାଣ ୫ହଜାର ୫ଶହ ୧୮ କୋଟିକୁ ବୃଦ୍ଧି ହୋଇଛି ।