କନକ ବ୍ୟୁରୋ : ସାମ୍ବାଦିକଙ୍କୁ ବେଡି ପକାଇବା ପଡିଲା ମହଙ୍ଗା । ଜିଲ୍ଲା ମୁଖ୍ୟାଳୟକୁ ବଦଳି ହେଲେ ଆଇଆଇସି । ବର୍ବରତା ଓ ଅମାନବିକତାର ସବୁ ସୀମା ଟପିଥିବା ନୀଳଗିରି ଥାନା ଆଇଆଇସି ଦ୍ରୌପଦୀ ଦାସ ଏବଂ ତଦନ୍ତକାରୀ ଅଧିକାରୀ ଏସଆଇ ସୁବର୍ଣ୍ଣା ବେହେରାଙ୍କ ବିରୋଧରେ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ । ପ୍ରାଥମିକ ପର୍ଯ୍ୟାୟରେ ଦୁଇ ଅଧିକାରୀଙ୍କୁ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ବଦଳି ନିର୍ଦ୍ଦେଶ ପାଇବା ପରେ ଦୁଇ ଅଧିକାରୀ ଥାନା ଛାଡି ଜିଲ୍ଲା ପୁଲିସ ହେଡକ୍ୱାର୍ଟରକୁ ଯାଇଛନ୍ତି । ଏବଂ ଘଟଣାର ତଦନ୍ତ ନସରିବା ପର୍ଯ୍ୟନ୍ତ ମୁଖ୍ୟାଳୟରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଆଇଆଇସିଙ୍କ ବିରୋଧରେ ପୂର୍ବରୁ ରହିଛି ଏକାଧିକ ଅଭିଯୋଗ । ବଟି ଆଦାୟରୁ, ଦୁର୍ବ୍ୟବହାର ସବୁଠି ଦେଖାଉଥିଲେ ଖାକିର ବହପ । ଲୋକଙ୍କୁ ସୁରକ୍ଷା ଯୋଗାଇବାକୁ ନିୟୋଜିତ ହୋଇଥିବା ମାଡାମ ଦ୍ରୌପଦୀ ଦାସଙ୍କ ବିରୋଧରେ ଏହା ପ୍ରଥମ ଅଭିଯୋଗ ନୁହେଁ । ତାଙ୍କ ବିରୋଧରେ ଅଭିଯୋଗର ଫର୍ଦ୍ଦ ବେଶ ଲମ୍ବା । ଲୋକଙ୍କ କହିବା ଅନୁସାରେ..
- ଟମକା ଥାନାରେ ଥିବା ସମୟରେ ସେ କ୍ରୋମାଇଟ୍ ପରିବହନ କରୁଥିବା ଗାଡିଗୁଡିକୁ ଅଟକାଇ ବଟି ଆଦାୟ କରୁଥିଲେ
- ମାଡାମଙ୍କ ଛତ୍ରଛାୟା ତଳେ ନୀଳଗିରିରେ ବ୍ରାଉନସୁଗାର ମାଫିଆମାନେ ବେଧଡକ କାରବାର କରୁଥିଲେ !
- ବେଆଇନ ଭାବେ ଲଘୁ ବନଜାତ ଦ୍ରବ୍ୟ ଓ ମୋରମ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କ ସହ ସମ୍ପର୍କରେ ଥିଲେ
- ଲୋକମାନଙ୍କୁ ଧମକ ଚମକ ଦେବା ସହ, ଖରାପ ବ୍ୟବହାର ପ୍ରଦର୍ଶନ କରୁଥିଲେ

ଓଡିଶା ପୁଲିସର ଅଜବ ନୀତି । ଦୋଷ କଲେ ଆଇଆଇସି, ନିଲମ୍ବିତ ହେଲେ ହାବିଲଦାର । ଏହି ମାମଲାରେ ଜଣେ ହାବିଲଦାରଙ୍କୁ ସସପେଣ୍ଡ କରାଯାଇଛି । ପୋଲିସ୍ କଷ୍ଟଡି ଦାୟିତ୍ୱରେ ଥିବା ହାବିଲଦାରଙ୍କୁ ସସପେଣ୍ଡ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ୍ ଡିଜି ସୁନୀଲ ବଂଶଲ । ତେବେ ସବୁଠାରୁ ବଡ ବିଡମ୍ବନାର ବିଷୟ ହେଉଛି, ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇବାକୁ ନିର୍ଦ୍ଦେଶ ଦେଇଥିଲେ ଆଇଆଇସି ଦୌପଦୀ ଦାସ । ହେଲେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ହାବିଲଦାରଙ୍କ ବିରୋଧରେ । ବର୍ତମାନ ଆଇଆଇସିଙ୍କୁ ଟ୍ରାନ୍ସଫର କରାଯାଇଥିବା ବେଳେ ପ୍ରଶ୍ନ ଉଠୁଛି,
- କେବେ ଆଇଆଇସିଙ୍କୁ କରାଯିବ ସସପେଣ୍ଡ ?
- ଆଇଆଇସିଙ୍କୁ ସୁରକ୍ଷା ଦେଉଛି କିଏ ?
- ଆଇଆଇସିଙ୍କ ମୁଣ୍ଡରେ ରହିଛି କୌଣସି ବଡ ଅଧିକାରୀଙ୍କ ଆଶୀର୍ବାଦ ?
- ପୁଲିସ ଡିଜି ଓ ରାଜ୍ୟ ଗୃହ ବିଭାଗ କାହିଁକି ଦେଖାଉ ନାହାଁନ୍ତି ତତ୍ପରତା ?

ଆଇଆଇସିଙ୍କ ବିରୋଧରେ ଏବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନହେଲେ ସେ ବାରମ୍ବାର ଏମିତି ନିୟମକୁ ଉଲଂଘନ କରିଚାଲିଥିବେ । ଆଉ କ୍ଷମତା ବଳରେ ଖସି ଯାଉଥିବେ ।