କନକ ବ୍ୟୁରୋ : ଧିରେ ଧିରେ ସାରା ବିଶ୍ୱ ଏବେ ଆତଙ୍କବାଦୀଙ୍କ କବଜାକୁ ଯାଉଛି । କରୋନା ମହାମାରୀ ଠାରୁ ବିଶ୍ୱପାଇଁ ଏବେ ସବୁଠାରୁ ଅଧିକ ମୁଣ୍ଡବିନ୍ଧାର କାରଣ ପାଲଟିଛି ଆତଙ୍କବାଦ । ଗତକାଲି ଆଫଗାନିସ୍ତାନର କାବୁଲ ବିମାନବନ୍ଦରରେ ଆଇଏସଆଇଏସ ଆତଙ୍କବାଦୀମାନେ ବିସ୍ଫୋରଣ ଘଟାଇ ୧୦୦ ରୁ ଅଧିକ ଲୋକଙ୍କୁ ହତ୍ୟା କରିଥିବା ବେଳେ ଆସାମରେ ବି ଉଗ୍ରବାଦୀମାନେ ୫ ଜଣଙ୍କୁ ହତ୍ୟା କରିଛନ୍ତି ।

Advertisment

ସୂଚନା ମୁତାବକ ଆସାମର ଦୀମା ହସାଓ ଠାରେ ଉଗ୍ରବାଦୀମାନେ ହୃଦୟ ବିଦାରକ କାଣ୍ଡ କରିଛନ୍ତି । ଏଠାରେ ଦିସମାଓ ଗାଁ ନିକଟ ଅମରଙ୍ଗସି ଲଙ୍କା ରୋଡ ନିକଟରେ ଗତକାଲି ରାତିରେ କିଛି ଟ୍ରକରେ ଆତଙ୍କବାଦୀମାନେ ନିଆଁ ଲଗାଇ ଦେଇଥିଲେ । ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ ରୋଡ ସାଇଟରେ ଅନେକ ଟ୍ରକ ଠିଆ ହୋଇଥିବା ବେଳେ ଉଗ୍ରବାଦୀମାନେ ପ୍ରଥମେ ସେଠାରେ ଗୁଳି ଚାଳନା କରିଥିଲେ । ଏହାପରେ ୭ ଟି ଟ୍ରକରେ ନିଆଁ ଲଗାଇ ଦେଇଥିଲେ । ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଛି ।

ଏହି ସୂଚନା ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଂଚି ସବୁ ଶବକୁ ଜବତ କରିଛି । ଏହାସହ ଘଟଣାର ପ୍ରକୃତ କାରଣ ଜାଣିବାକୁ ପୋଲିସ ଅନୁସନ୍ଧାନ ଜାରି ରଖିଛି । ପୋଲିସ ଅନୁମାନ କରିଛି କି ଏହି ଘଟଣା ପଛରେ ଉଗ୍ରବାଦୀ ସଂଗଠନ ଡିଏନଏଲଏର ହାତ ରହିଛି ।