ବଦଳି ହେଲେ ‘ଲେଡି ସିଂଘମ୍’ । ଦିନେ ଭାବି ସ୍ୱାମୀଙ୍କୁ କରିଥିଲେ ଗିରଫ, ଏବେ ନିଜ ନାଁରେ ଆସିଲା ସାଙ୍ଘାତିକ ଅଭିଯୋଗ

2,877

କନକ ବ୍ୟୁରୋ : ଗତ କିଛି ଦିନ ପୂର୍ବରୁ ଭାବି ସ୍ୱାମୀଙ୍କୁ ଗିରଫ କରି ଚର୍ଚ୍ଚାକୁ ଆସିଥିବା ଲେଡି ସିଂଘମ୍ ଜୁମନି ରାବାଙ୍କ ନାଁ ତ ଶୁଣିଥିବେ । ସେ କିଭଳି ତାଙ୍କର ଜୀବନସାଥୀ ହେବାକୁ ଯାଉଥିବା ଯୁବକଙ୍କୁ ଗିରଫ କରି ଜେଲର ହାୱା ଖୁଆଇଥିଲେ । କିନ୍ତୁ ଆଜି ସେହି ଲେଡି ସିଙ୍ଘମଙ୍କ ନାଁରେ ଆସିଛି ସାଂଘାତିକ୍ ଅଭିଯୋଗ ।
ସବ୍-ଇନ୍ସପେକ୍ଟର ଜୁମନି ରାବାଙ୍କର ନଗାଓଁ ଥାନାରୁ କାଳିଆବରକୁ ବଦଳି କରିଯାଇଛି । ଭାବୀ ସ୍ୱାମୀ ରାଣା ପୋଗାଗଙ୍କ ଠକେଇ ମାମଲାରେ ତାଙ୍କର ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି । ଏହା ଛଡା ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ନେଇ ମାଜୁଲି ଥାନାରେ ୭ଟି ଏତଲା ଦାୟନ ହୋଇଛି । ଏହି ଅଭିଯୋଗ ମଧ୍ୟରୁ ତିନିଟି ଜାମିନ ବିହୀନ ଥିବା ଜିଲ୍ଲା ପୋଲିସ ଅଧୀକ୍ଷକ ଲୀନା ଡୋଲି କହିଛନ୍ତି । ଏହାସହିତ ଅଭିଯୋଗ ପ୍ରମାଣିତ ହେଲେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଲୀନା କହିଛନ୍ତି ।
ଯଦି ପୂର୍ବ ଘଟଣା ଉପରେ ନଜର ପକାଇବା ତେବେ ସବ ଇନସ୍ପେକ୍ଟର ଜୁମନି ରାବାଙ୍କୁ ବିବାହ କରିବାକୁ ଯାଉଥିବା ରାଣା ନିଜକୁ ଓଏନଜିସିର ପିଆରଓ ଭାବେ ପରିଚୟ ଦେଇଥିଲେ । ଆଉ କିଛି ଦିନର ମିଳାମିଶା ଭିତରେ ଜୋନମଣିଙ୍କୁ ବିବାହ କରିବାକୁ ରାଣା ପ୍ରସ୍ତାବ ଦେଇଥିଲେ । କିନ୍ତୁ ସେତେବେଳେ ରାଣାଙ୍କ ବାବଦରେ ବେଶି କିଛି ଜାଣିପାରିନଥିଲେ ଜୋନମଣି, ଯେଉଁଥିପାଇଁ ରାଣାଙ୍କ ପ୍ରସ୍ତାବୁ ସ୍ୱୀକାର କରି ନେଇଥିଲେ । ପରେ ଉଭୟଙ୍କ ପରିବାର ପରସ୍ପରକୁ ଭେଟିଥିଲେ ଓ ବିବାହ ନେଇ କଥା ଆଗକୁ ବଢିଥିଲା । ୨୦୨୧ ଅକ୍ଟୋବରରେ ଜୋନମଣି ଓ ରାଣାଙ୍କ ମଧ୍ୟରେ ନିର୍ବନ୍ଧ ହୋଇଥିବା ବେଳେ ୨୦୨୨ ନଭେମ୍ବରରେ ବିବାହ ପାଇଁ ତାରିଖ ଧାର୍ୟ୍ୟ ସରିଥିଲା ।
ବିବାହକୁ ଆଉ ଦିନ କେଇଟା ବାକି ଥିବା ବେଳେ ରାଣାଙ୍କ କାର୍ୟ୍ୟଶୈଳୀକୁ ନେଇ ଜୋନମଣିଙ୍କର ସନ୍ଦେହ ଉପୁଜିଥିଲା । ଆଉ ସନ୍ଦେହ ସେତେବେଳେ ସତ ହେଲା ଯେତେବେଳେ ରାଣାଙ୍କ ବାବଦରେ ଅଧିକ ପଚରାଉଚରା କରିଥିଲେ ଜୋନମଣି । ଆଉ ମାଟି ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ରାଣାଙ୍କ ଠକେଇ ସାମ୍ରାଜ୍ୟର ସତ ପଦାକୁ ଆସିଥିଲା । ଓଏନଜିସିର ପ୍ରୋଜେକ୍ଟ ବାବଦକୁ ୩ ଜଣଙ୍କୁ ପ୍ରାୟ ୨୫ ଲକ୍ଷ ଟଙ୍କାର ଚୂନା ଲଗାଇଥିଲା ରାଣା । ଆଉ ଏହି ମାନଙ୍କ ଅଭିଯୋଗ ଅଧାରରେ ନଙ୍ଗାବ ଥାନାରେ ଏକ ମାମଲା ରୁଜୁ କରି ରାଣାଙ୍କୁ ଗିରଫ କରିଥିଲେ ଜୋନମଣି । ଆଉ ଗିରଫ ସମୟରେ ରାଣାଙ୍କ ଠାରୁ ବିଭିନ୍ନ ବ୍ୟାଙ୍କର ପାସବୁକ, କିଛି କମ୍ପାନିର ସିଲ ଓ ଏଟିଏମ କାର୍ଡ ଜବତ କରିଥିଲା ପୋଲିସ । ଆଉ ସବୁଠୁ ବଡ କଥା ହେଲା, ବଡ ଲୋକ ଠାଣି ଦେଖାଇବାକୁ ରାଣା ଏକ ଏସୟୁଭି ଗାଡି ଭଡାରେ ନେଇଥିବା ବେଳେ ନିଜସ୍ୱ ସୁରକ୍ଷାକର୍ମୀ ଓ ଡ୍ରାଇଭର ରଖିଥିଲେ । ଆଉ ଏଭଳି କରି ନିଜକୁ ଉଚ୍ଚପଦସ୍ଥ ଅଧିକାରୀ ବୋଲି ପରିଚୟ ଦେଉଥିଲେ ରାଣା । ଯାହାର ପର୍ଦ୍ଦାଫାଶ କରିଛନ୍ତି ଜୋନମଣି । ଆଉ ଏବେ ସେହି ଲେଡି ସିଙ୍ଘମଙ୍କ ନାଁରେ ଆସିଛି ସାଂଘାତିକ୍ ଅଭିଯୋଗ ।