ବସିବା ଠାଣୀ ବଖାଣୁଛି ଯନ୍ତ୍ରଣାର କାହାଣୀ : ଦ୍ୱିତୀୟ ଠାକୁରଙ୍କ ଯନ୍ତ୍ରଣାଦାୟକ ଦୃଶ୍ୟ , ସାମ୍ନାକୁ ଆସିଲା ପିପିଇ କିଟ୍ ପିନ୍ଧି କଠିନ ପରିଶ୍ରମ ପରେ ଥକ୍କି ବସିପଡ଼ିଥିବା ସେବିକାଙ୍କ କର୍ମସମର୍ପଣର ଦୃଶ୍ୟ । 

3,322

ବାହାରେ ଉଦୁଉଦିଆ ଖରା , ତାପମାତ୍ରା ରହିଛି ୩୨ ଡ଼ିଗ୍ରୀ ସେଲସିୟସ୍ … ଥରେ ଚିନ୍ତା କରି ଦେଖନ୍ତୁ ଏଭଳି ସମୟରେ ଯଦି ଆପଣଙ୍କୁ ମୁଣ୍ଡରୁ ଗୋଡ଼ ଯାଏଁ ପିପିଇ କିଟ୍ ପିନ୍ଧି ୨୪ ଘଣ୍ଟା ରହିବାକୁ କୁହାଯାଏ ତାହେଲେ ଆପଣ କ’ଣ କରିବେ ? ଏଭଳି ପ୍ରଶ୍ନ ଆପଣଙ୍କୁ କିଛି ସମୟ ପାଇଁ ବିଚଳିତ କରୁଥିଲେ ବି ଡ଼ାକ୍ତରଖାନାରେ ବୁଲୁଥିବା ଦ୍ୱିତୀୟ ଭଗବାନ ଏହାକୁ ଅଙ୍ଗେ ନିଭାଉଛନ୍ତି । କରୋନା କାଳରେ ଲୋକଙ୍କ ଜୀବନ ବଂଚାଇବା ପାଇଁ ଅହରହ ପରିଶ୍ରମ କରୁଥିବା ଡ଼ାକ୍ତରଖାନାର କର୍ମଚାରୀଙ୍କ ଋଣ ଦେଶ କେବେବି ଶୁଝିପାରିବନି ।

ପିପିଇ କିଟ୍ ପିନ୍ଧି କାମ କରିବା କୌଣସି ତପସ୍ୟାଠାରୁ କମ୍ ନୁହଁ । ସାଧାରଣ ମଣିଷ ଏହାକୁ ଘଣ୍ଟାଏ ପିନ୍ଧିଲେ ଆକ୍ତାମାକ୍ତା ହୋଇଯିବ । କିନ୍ତୁ ଏହି କିଟକୁ ପିନ୍ଧି ଓଭର୍ ସିଫ୍ଟରେ କାମ କରୁଛନ୍ତି ଆମ ଡ଼ାକ୍ତରଖାନାର କର୍ମଚାରୀ । କରୋନା ସମୟରେ ଇଣ୍ଟରନେଟରେ ଏଭଳି ଅନେକ କରୋନା ଯୋଦ୍ଧାଙ୍କ କାହାଣୀ ଘୁରି ବୁଲୁଥିବା ବେଳେ ଏବେ ଆଉ ଜଣେ ନର୍ସଙ୍କ ଫଟୋ ସାମ୍ନାକୁ ଆସିଛି । ଆସାମର ଖାନାପାଡ଼ା କୋଭିଡ଼-୧୯ କେୟାର୍ ସେଣ୍ଟରରୁ ଆସିଥିବା ଏହି ଫଟୋ କର୍ମ ପ୍ରତି ସମର୍ପଣ ଏବଂ କଠିନ ପରିଶ୍ରମର ପ୍ରମାଣକୁ ଦର୍ଶାଉଛି । ଫଟୋଟିକୁ ଆସାମ ସ୍ୱାସ୍ଥ୍ୟମନ୍ତ୍ରୀ ହିମନ୍ତ ବିସ୍ୱା ଶର୍ମା ରିଟ୍ୱିଟ୍ କରିଛନ୍ତି । ଫଟୋରେ ଜଣେ ନର୍ସ ପିପିଇ କିଟ୍ ପିନ୍ଧି ତଳେ ବସିଛନ୍ତି । କିନ୍ତୁ ତାଙ୍କ ବସିବା ଠାଣି ତାଙ୍କ ଯନ୍ତ୍ରଣାର କାହାଣୀକୁ ସମ୍ପୁର୍ଣ୍ଣ ଭାବେ ଦର୍ଶାଉଛି । ଫଟୋକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି , ଗୌହାଟିର ତାପମାତ୍ରା ୩୨ ଡ଼ିଗ୍ରୀ ଥିବାବେଳେ ଏହି ନର୍ସଙ୍କ ଯନ୍ତ୍ରଣାକୁ ଆପଣ ଭଲଭାବରେ ବୁଝିପାରୁଥିବେ , ମୋ ଟିମ୍ ଉପରେ ମୋତେ ଗର୍ବ ଅଛି । ଘର , ପରିବାରଠାରୁ ଦୂରରେ ରହି ଦେହକୁ ତତାଇଦେଲା ଭଳି ପିପିଇ କିଟ୍ ପିନ୍ଧି ଅଳ୍ପ ନିଦ୍ରାରେ ଅନେକ କାମ କରି ଦେଶ ପାଇଁ ଭଗବାନଙ୍କ ଦୂତ ପାଲଟିଥିବା ଏହି କର୍ମଚାରୀଙ୍କ ସମର୍ପଣକୁ ଶହେ ସଲାମ୍ ।