କନକ ବ୍ୟୁରୋ : ଆସାମ ଓ ମେଘାଳୟ ମଧ୍ୟରେ ଦୀର୍ଘ ୫୦ ବର୍ଷ ହେବ ଲାଗିଥିବା ସୀମା ବିବାଦ ଆଜି ସମାଧାନ ହେବା ହୋଇପାରେ । ମଙ୍ଗଳବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଓ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ସମାଧାନ ଚୁକ୍ତି ଉପରେ ଦସ୍ତଖତ କରିପାରନ୍ତି । ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କ ମଧ୍ୟରେ ଅପରାହ୍ନରେ ବୈଠକ ହେବ ବୋଲି ସୂଚନା ମିଳିଛି ।

Advertisment

ସମାଚାର ଏଜେନ୍ସି ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ଓ ମେଘାଳୟର ମୁଖ୍ୟମନ୍ତ୍ରୀ କୋନରାଡ କେ ସାଙ୍ଗମା ଆଜି ଗୃହମନ୍ତ୍ରଣାଳୟକୁ ଭେଟିବେ । ଏହି କ୍ରମରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଏହି ସମାଧାନ ଦସ୍ତାବିଜରେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ହସ୍ତାକ୍ଷର କରିବେ । ଏହି ବୈଠକରେ ଉଭୟ ରାଜ୍ୟର କିଛି ପ୍ରମୁଖ ସଚିବ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିବେ । ଏହି ସମାଧାନ ଦସ୍ତାବିଜରେ ଦସ୍ତଖତ କରିବା ପୂର୍ବରୁ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଶେଷ ପର୍ଯ୍ୟାୟ ଆଲୋଚନା ହେବ ବୋଲି ଆକଳନ କରାଯାଉଛି ।

ସୂଚନା ମୁତାବକ ଜାନୁଆରୀ ୩୧ ତାରିଖରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିକଟକୁ ଏକ ସମାଧାନ ପତ୍ର ବିଚାର କରିବାକୁ ପଠାଇଥିଲେ । ଗୃହମନ୍ତ୍ରଣାଳୟ ତରଫରୁ ଉଭୟ ରାଜ୍ୟର ୧୨ ଟି କ୍ଷେତ୍ରରେ ଥିବା ବିବାଦ ମଧ୍ୟରୁ ୬ ଟି କ୍ଷେତ୍ର ବିବାଦର ସମାଧାନ କରିବାକୁ ମାର୍ଚ୍ଚ ୨୯ ତାରିଖକୁ ଦିନ ଧାର୍ଯ୍ୟ କରିଥିଲେ ।

କହିରଖୁ କି ୧୯୭୨ ମସିହାରେ ଆସାମ ଠାରୁ ମେଘାଳୟ ଅଲଗା ହୋଇ ଏକ ସ୍ୱତନ୍ତ୍ର ରାଜ୍ୟ ଗଠନ ହୋଇଥିଲା । ଏହାପରେ ମେଘାଳୟ ପକ୍ଷରୁ ଆସାମ ପୁର୍ନଗଠନ ଆଇନ ୧୯୭୧ କୁ ମେଘାଳୟ ଚ୍ୟାଲେଞ୍ଜ କରିଥିଲା । ଏଥିରେ ୮୮୪.୯ କିଲୋମିଟର ଲମ୍ବା ସୀମାର ୧୨ ଟି ବିଭିନ୍ନ କ୍ଷେତ୍ରକୁ ନେଇ ବିବାଦ ଦେଖାଦେଇଥିଲା ।