କନକ ବ୍ୟୁରୋ: ପୁଣି ଅଶାନ୍ତ ହୋଇଛି ଆସାମ-ମେଘାଳୟ ସୀମା । ଏକ କାଠଗାଡିକୁ ପୋଲିସ ଅଟକାଇବା ଫଳରେ ସ୍ଥାନୀୟ ଲୋକ ଓ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି । ଏହି ସଂଘର୍ଷରେ ୫ ଜଣ ସାଧାରଣ ଜନତା ଓ ଜଣେ ବନ କର୍ମଚାରୀଙ୍କର ମୃତ୍ୟୁ ହୋଇଛି । ଏଭଳି ହିଂସାକୁ ନଜରରେ ରଖି ସରକାରଙ୍କ ତରଫରୁ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି । ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ ସଂଗମା କହିଛନ୍ତି କି ଏହି ହିଂସାରେ ମେଘାଳୟର ୫ ଜଣ ଜନତା ଓ ଆସାମର ଜଣେ ବନ କର୍ମଚାରୀଙ୍କର ମୃତ୍ୟୁ ହୋଇଛି । ଏନେଇ ମେଘାଳୟ ପୋଲିସ ପକ୍ଷରୁ ପ୍ରାଥମିକ ଯାଂଚ ଆରମ୍ଭ କରାଯାଇଛି ।
ପରିସ୍ଥିତିର ଗମ୍ଭୀରତାକୁ ନଜରରେ ରଖି ପଶ୍ଚିମ ଜୟନ୍ତିୟା ହିଲ୍ସ, ପୂର୍ବ ଜୟନ୍ତିଆ ହିଲ୍ସ, ପୂର୍ବ ଖାସୀ ହିଲ୍ସ ଭଳି ଅନେକ ସ୍ଥାନରେ ଇଣ୍ଟରନେଟ ସେବାକୁ ୪୮ ଘଂଟା ପାଇଁ ବନ୍ଦ କରିଦିଆଯାଇଛି । ପୋଲିସ ଅଧିକ୍ଷକ ଇମଦାଦ ଅଲୀ କହିଛନ୍ତି କି ଏକ କାଠ ବୋଝେଇ ଟ୍ରକକୁ ମେଘାଳୟ ସୀମାରେ ଆସାମ ପୋଲିସ ଅଟକାଇଥିଲା । ହେଲେ ଟ୍ରକଟି ନଅଟକିବାକୁ ଆସାମ ବନବିଭାଗ ତରଫରୁ ଟ୍ରକ ଉପରକୁ ଗୁଳି ଚାଳନା କରାଯାଇଥିଲା । ଟ୍ରକ ଚକାରେ ଗୁଳିବାଜି ଟ୍ରକଟି ପମ୍ପଚର ହୋଇଯିବା ପରେ ବନ ବିଭାଗ ତରଫରୁ ଗାଡିର ଚାଳକ ସମେତ ୩ ଜଣଙ୍କୁ ଗିରଫ କରିଥିଲା ।
Six persons died in firing incident along Assam-Meghalaya border: Conrad Sangma
Read @ANI Story | https://t.co/edAOIfjrrp#Meghalaya #Assam #Firingincident #ConradSangma pic.twitter.com/3HwOIKcmN8
— ANI Digital (@ani_digital) November 22, 2022
ସେପଟେ ଏହି ଖବର ପାଇବା ପରେ ପୋଲିସ ଓ ସ୍ଥାନୀୟ ଲୋକ ସେଠାରେ ଜମା ହୋଇଯାଇଥିଲେ । ସ୍ଥାନୀୟ ଲୋକମାନେ ପୋଲିସ ଉପରକୁ ଆକ୍ରମଣ କରିବା ଫଳରେ ପୋଲିସ ବାଧ୍ୟ ହୋଇ ଗୁଳି ଚାଳନା କରିଥିଲା । ପୋଲିସ ଗୁଳିରେ ୫ ଜଣ ସାଧାରଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ସାଧାରଣ ଲୋକଙ୍କ ଆକ୍ରମଣରେ ଆସାମ ବନ ବିଭାଗର ଜଣେ କର୍ମଚାରୀଙ୍କର ମୃତ୍ୟୁ ହୋଇଛି ।