ପ୍ରେମ ଦିବସରେ ଫାଶୀ ଖୁଣ୍ଟରେ ଝୁଲିଥିଲେ ବିଚାରପତି । ସ୍ତ୍ରୀ ଓ ୩ ଝିଅଙ୍କୁ ହତ୍ୟା କରିବା ମାମଲାରେ ମିଳିଥିଲା ଫାଶୀଦଣ୍ଡ

934

କନକ ବ୍ୟୁରୋ: କୌଣସି ଅପରାଧ ପାଇଁ ଦୋଷୀଙ୍କୁ ବିଚାରପତି ଫାଶୀ ଦଣ୍ଡ ଶୁଣାଇବା କଥା ଆପଣ ଶୁଣିଥିବେ । କିନ୍ତୁ କୌଣସି ବିଚାରପତିଙ୍କୁ ଭୁଲ ପାଇଁ ଫାଶୀ ଦଣ୍ଡ ଦିଆଯିବା କଥା ଆପଣ ହୁଏତ ଶୁଣି ନ ଥିବେ । ଆଜି ଆମେ ଆପଣଙ୍କୁ ଏମିତି ଜଣେ ବିଚାରପତିଙ୍କ ବାବଦରେ କହିବୁ ଯାହାଙ୍କୁ ଫାଶୀ ଖୁଣ୍ଟରେ ଝୁଲିବାକୁ ପଡ଼ିଥିଲା । ୧୯୭୬ ମସିହାରେ ଭାରତର ଏହି ବିଚାରପତିଙ୍କୁ ଫାଶୀ ଦିଆଯାଇଥିଲା । ଏହି ବିଚାରପତିଙ୍କ ନାମ ହେଉଛି ଉପେନ୍ଦ୍ର ନାଥ ରାଜଖୋବା । ସେ ଆସାମର ଡୁବେରି ଜିଲ୍ଲା କୋର୍ଟରେ ନ୍ୟାୟାଧୀଶ ଭାବେ କାମ କରୁଥିଲେ । ୧୯୭୦ ମସିହାରେ ଉପେନ୍ଦ୍ର ଚାକିରିରୁ ଅବସର ନେଇଥିଲେ ଏବଂ ସେହି ସମାନ ବର୍ଷ ସେ ଅପରାଧ ଘଟାଇ ଥିଲେ।

ଅବସର ପରେ କିନ୍ତୁ ସରକାରୀ ବଙ୍ଗଳା ଖାଲି କରି ନଥିଲେ ବିଚାରପତି । ଏହାରି ମଧ୍ୟରେ ଦିନେ ଅଚାନକ ତାଙ୍କ ପତ୍ନୀଙ୍କ ସହ ତିନି ଝିଅ ନିଖୋଜ ହୋଇଯାଇଥିଲେ । ଏହା ବାବଦରେ ଉପେନ୍ଦ୍ରଙ୍କ ବ୍ୟତୀତ କାହାକୁ ବି ଜଣା ନଥିଲା । ଯିଏ ବି ତାଙ୍କ ପରିବାର ବାବଦରେ ପଚାରିଥିଲେ ବିଭିନ୍ନ ବାହାନା ଦେଇ କଥାକୁ ଏଡ଼ାଇ ଯାଉଥିଲେ । ତେବେ ଉପେନ୍ଦ୍ରଙ୍କ ଶଳା ପୁଲିସ ସହାୟତାରେ ନିଜ ଭଉଣୀଙ୍କୁ ଲଗାତାର ଖୋଜିଥିଲେ । ଏ ବାବଦରେ ବିଚାରପତି ଜଣକ ଜାଣିବା ପରେ କୁଆଡେ ଚାଲିଯାଇଥିଲେ । ମାତ୍ର ତାଙ୍କ ଶଳା ଖୋଜିବାରୁ କ୍ଷାନ୍ତ ହୋଇ ନଥିଳେ । ଦିନେ ସେ ସୂଚନା ପାଇଥିଲେ ଯେ ଉପେନ୍ଦ୍ର ସିଲିଗୁଡିର ଏକ ହୋଟେଲରେ ରହୁଛନ୍ତି । ଏହା ପରେ କିଛି ପୁଲିସ ଅଧିକାରୀଙ୍କ ସହ ହୋଟେଲରେ ଉପେନ୍ଦ୍ରଙ୍କ ଶଳା ପହଂଚି ନିଜ ଭଉଣୀ ଓ ଭାଣିଜୀମାନଙ୍କ ବାବଦରେ ପ୍ରଶ୍ନ କରିଥିଲେ । ଏହା ପରେ ବିଚାରପତି ଜଣକ ନିଜ ଦୋଷ ସ୍ୱୀକାର କରିଥିଲେ ।

ସେ କହିଥିଲେ ଯେ ପତ୍ନୀ ଓ ଝିଅମାନଙ୍କୁ ହତ୍ୟା କରି ସରକାରୀ ବଙ୍ଗଳାର କୋଠରୀ ମଧ୍ୟରେ ପୋତିଦେଇଛନ୍ତି । ଏହା ପରେ ତାଙ୍କୁ ଗିରଫ କରାଯାଇଥିଲା । ବର୍ଷେ ଯାଏଁ କେସ ଚାଲିବା ପରେ ନିମ୍ନ ଅଦାଲତ ଉପେନ୍ଦ୍ରଙ୍କୁ ଫାଶୀ ଦଣ୍ଡ ଶୁଣାଇଥିଲେ । ଏହା ପରେ ଉପେନ୍ଦ୍ର ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ସୁପ୍ରିମକୋର୍ଟ ଫାଶୀ ଦଣ୍ଡକୁ କାଏମ ରଖିଥିଲେ । ଏହା ପରେ ରାଜକ୍ଷମା ପାଇଁ ଅପିଲ କରିଥିଲେ ବି ରାଷ୍ଟ୍ରପତି କ୍ଷମା ପ୍ରାର୍ଥନାକୁ ମଞ୍ଜୁରୀ ଦେଇ ନ ଥିଲେ । ୧୯୭୬ ମସିହା ଫେବୃୟାରି ୧୪ରେ ଜୋରହାଟ ଜେଲରେ ଏହି ପୂର୍ବତନ ବିଚାରପତିଙ୍କୁ ଫାଶୀ ଦିଆଯାଇଥିଲା । ବଡ କଥା ଯେ ସେ କାହିଁକି ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ କରିଥିଲେ ଶେଷ ସମୟ ଯାଏଁ କାହାକୁ କହି ନଥିଲେ ।