କନକ ବ୍ୟୁରୋ : ବାଲ୍ୟ ବିବହାକୁ ନେଇ କିଛିଦିନ ହେବ ଆସାମ ସରକାର କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଲାଗିଛନ୍ତି । ସରକାରଙ୍କ ନିର୍ଦ୍ଦେଶ ପରେ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ଲାଗିଛି । ଏନେଇ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ସଂପର୍କୀୟମାନେ ଗୁହାଟୀ ହାଇକୋର୍ଟରେ କରିଥିବା ଆବେଦନର ଶୁଣାଣି କରିଛନ୍ତି କୋର୍ଟ । କୋର୍ଟ କହିଛନ୍ତି କି ଏଭଳି ଭାବେ ଏତେମାତ୍ରାରେ ଲୋକଙ୍କୁ ଗିରଫ କରାଯିବା ଫଳରେ ସେମାନଙ୍କ ବ୍ୟକ୍ତିଗତ ଜୀବନକୁ ବିଧ୍ୱସ୍ତ କରିଦେଇପାରେ ।

Advertisment

କୋର୍ଟ କହିଛନ୍ତି କି ଏଭଳି ମାମଲାରେ ଅଭିଯୁକ୍ତମାନଙ୍କୁ ପୋଲିସ ହେପାଜତକୁ ନେଇ ପଚରାଉଚରା କରିବାର ଆବଶ୍ୟକତା ନାହିଁ । ସେପଟେ ପକ୍ସୋ ଆଇନ ମୁତାବକ ଅଭିଯୁକ୍ତମାନଙ୍କ ଉପରେ ସରକାର ଯେଭଳି ଦୁଷ୍କର୍ମ ମାମଲା ରୁଜୁ କରିଛନ୍ତି ତାହାକୁ କୋର୍ଟ ଭତ୍ସନା କରିଛନ୍ତି ଓ କହିଛନ୍ତି କି ଏଭଳି ମାମଲା ରୁଜୁ କରିବା ଏକ ଅଜବ ଅଭିଯୋଗ ।

ଆଗୁଆ ଜାମିନ ଓ ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଥିବା ଏକ ଅଭିଯୁକ୍ତ ଗୋଷ୍ଠୀଙ୍କ ଆବେଦନର ଶୁଣାଣି କରି ବିଚାରପତି ଜଷ୍ଟିସ ସୁମନ ଶ୍ୟାମ ସମସ୍ତ ଆବେଦନକାରୀଙ୍କୁ ତତ୍କାଳ ପ୍ରଭାବରେ ଜାମିନ ଆବେଦନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

ବିଚାରପତି କହିଛନ୍ତି କି ପୋଲିସ ହେପାଜତରେ ପଚରାଉଚରା କରିବା ଭଳି ଏହି ମାମଲା ନୁହେଁ, ଆପଣ ଆଇନ ମୁତାବକ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ଯେତେବେଳେ ଆମ ପାଖରେ କହିବାକୁ କିଛି ନାହିଁ । ଯଦି ଆପଣଙ୍କୁ କୌଣସି ଦୋଷୀ ମିଳୁଛନ୍ତି ତେବେ ତାଙ୍କ ବିରୋଧରେ ଚାର୍ଜସିଟ ଦାଖଲ କର । ଏହାପରେ ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେଲେ କୋର୍ଟ ସେମାନଙ୍କୁ ଦଣ୍ଡିତ କରିବ ।

ସୂଚନା ଥାଉକି ଆସାମ ସରକାର ବାଲ୍ୟ ବିବହା ଅପରାଧ ଅଭିଯୁକ୍ତମାନଙ୍କ ବିରୋଧରେ ଫେବୃଆରୀ ୧୪ ତାରିଖ ସୁଦ୍ଧା ୪୨୨୫ଟି ମାମଲା ରୁଜୁ କରିଛନ୍ତି । ଏହାସହ ୩୦୩୧ଜଣଙ୍କୁ ଗିରଫ କରାଯାଇଛି । ଏହି କାର୍ଯ୍ୟାନୁଷ୍ଠାନ ଫେବୃଆରୀ ୩ ତାରିଖରୁ ଆରମ୍ଭ ହୋଇଥିଲା ।