କନକ ବ୍ୟୁରୋ : ଲଗାଣ ବର୍ଷା ଆସାମରେ ବନ୍ୟା ସ୍ଥିତି ସୃଷ୍ଟି କରିଛି। ରାଜ୍ୟର ୮ ଜିଲ୍ଲାରେ ୬୨,୦୦୦ ରୁ ଅଧିକ ଲୋକ ଲୋକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି। ବ୍ରହ୍ମପୁତ୍ର ନଦୀ ଏବେ ଜୋରହାଟରେ ବିପଦସଙ୍କେତ ଟପି ସାରିଛି। ଧେମାଜି, ଲକ୍ଷ୍ମୀପୁର, ବିଶ୍ବନାଥ, ଜୋରହାଟ ଏବଂ ଗୋଲାଘାଟ ଜିଲ୍ଲା ବନ୍ୟା ଯୋଗୁଁ ସବୁଠୁ ଅଧିକ ପ୍ରଭାବିତ ହୋଇଛି ବୋଲି ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସୂତ୍ରରୁ ଜଣାପଡ଼ିଛି। ରୋଂଗାନୋଡ଼ି ଜଳ ବିଦ୍ୟୁତ ପ୍ରକଳ୍ପରୁ ଅତ୍ୟଧିକ ଜଳ ଲକ୍ଷ୍ମୀପୁର ଜିଲ୍ଲାରେ ନିଷ୍କାସନ ହେଉଥିବାରୁ ଏଠାରେ ସ୍ଥାନୀୟ ଲୋକଙ୍କ ସମସ୍ୟା ବଢ଼ି ଯାଇଛି।
source :google
ଲଗାତାର ବର୍ଷା ଯୋଗୁଁ ଗୌହାଟିରେ ଭୂସ୍ଖଳନ ହୋଇ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨ ଜଣ ଆହତ ହୋଇଛନ୍ତି। ରାଜ୍ୟରେ ଚଳିତ ସପ୍ତାହରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିବ। ଉତ୍ତରପୂର୍ବରେ ବର୍ଷା ଲାଗି ରହୁଥିବାରୁ ଏଥିଯୋଗୁଁ ସ୍ଥିତି ଅଧିକରୁ ଅଧିକ ସଂଗୀନ ହୋଇପଡ଼ୁଛି। ମେଘାଳୟ ଏବଂ ଅରୁଣାଚଳ ପ୍ରଦେଶରେ ମଧ୍ୟ ସମ୍ଭାବ୍ୟ ଭୂସ୍ଖଳନ ଏବଂ ବନ୍ୟା ସମ୍ଭାବନା ରହିଛି। ଗତବର୍ଷ ବନ୍ୟା ଯୋଗୁଁ ରାଜ୍ୟରେ ୧୦.୯୯ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିଲେ। ଆସାମରେ ଗତବର୍ଷ ବନ୍ୟା ଯୋଗୁଁ ୩୮ ଜଣଙ୍କ ମୃତ୍ୟୁ ହୋଇଥିଲା ।