କନକ ବ୍ୟୁରୋ : ଆସାମରେ ବନ୍ୟା ପରିସ୍ଥିତି ଥମିବାରେ ନାଁ ଧରୁନାହିଁ । ଶହ ଶହ ଲୋକ ବନ୍ୟା କାରଣରୁ ନିଜ ବାସ ହରାଇଥିବାବେଳେ ସେମାନଙ୍କ ଜୀବିକା ମଧ୍ୟ ପ୍ରଭାବିତ ହୋଇଛି ।  ଚାରିଆଡେ ଜଳର ଅତ୍ୟାଧିକ ମାତ୍ରା ଉଭୟ ମଣିଷ ଓ ଜୀବଙ୍କୁ ବିପଦରେ ପକାଇଛି ।
ଚାରିଆଡେ ପାଣି ହିଁ ପାଣି ,  ଆକାଶମାର୍ଗରୁ ବନ୍ୟା ପ୍ରଭାବିତଙ୍କ ପାଇଁ ହେଲିକପ୍ଟରରୁ ଖାଦ୍ୟ ପକେଟ ତଳକୁ ପକାଯାଉଛି । ବାୟୁସେନା ତରଫରୁ ଏଇ ଦୃଶ୍ୟରୁ ଅନୁମାନ କରିହେଉଛି କେଡେ ବିକଟ ପରିସ୍ଥିତି ଦେଇ ଗତି କରୁଛି ଆସାମ୍ । ପୂର୍ବୋତର ରାଜ୍ୟ ଆସାମରେ ବନ୍ୟା ପରିସ୍ଥିତିରେ କୌଣସି ପ୍ରକାରର ସୁଧାର ମଧ୍ୟ ଆସୁନାହିଁ । କେଉଁଠି ଭୁସ୍କଳନ ତ ପୁଣି କେଉଁଠି ପ୍ରବଳ ବନ୍ୟାର ପ୍ରକୋପ ଦେଖିବାକୁ ମିଳିଛି । ଲଗାଣବର୍ଷା ଜାରି ରହିଛି ଆଉ କାଳ ସାଜିଛି ବନ୍ୟା ସହ ଭୁସ୍କଳନ । ସ୍ଥାନେ ସ୍ଥାନେ ଉଚ୍ଚ ପାହାଡରୁ ଖସୁଛି ବଡ ବଡ ପଥରଖଣ୍ଡ । କ୍ଷଣିକ ଭିତରେ ମାଟିରେ ମିଶୁଛି ପ୍ରସସ୍ତ ରାଜପଥ । ପ୍ରତି ମୂହୁର୍ତରେ ଜୀବନ ଏଠି ବିପଦ ଭିତରେ ରହିଛି । ଏହାରି ଭିତରେ ଆଇଏମଡି ତରଫରୁ ପୁଣି ବର୍ଷା ହେବା ନେଇ ଆଲର୍ଟ ଜାରି କରାଯାଇଛି
•    ବର୍ତମାନ ସୁଦ୍ଧା ବନ୍ୟା କାରଣରୁ ୧୦୧ ଜଣଙ୍କ ଜୀବନ ଗଲାଣି
•    ୫୫ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହେଇଛନ୍ତି
•    ୩୨ ଜିଲ୍ଲା ବନ୍ୟାରେ ପ୍ରଭାବିତ
•    ୪ ହଜାର ୯୪୧ ଗାଁ ପ୍ରଭାବିତ
•    ଗତ ୨୪ ଘଂଟାରେ ଯାଇଛି ୧୨ ଜୀବନ
•    ୧୨ ଜଣଙ୍କ ମଧ୍ୟରୁ ୪ ଜଣ ଛୋଟ ପିଲା
•    ୯୯ ହଜାରରୁ ଅଧିକ ହେକ୍ଟର ଫସଲ ନଷ୍ଟ
•    ୧୧ ଜୀବଙ୍କର ଗଲାଣି ଜୀବନ

Advertisment

ଲୋକମାନଙ୍କୁ ବିପଦସଙ୍କୁଳ ଅବସ୍ଥାରେ ଯବାନମାନେ ନଦୀ ପାର୍ କରୋଉଥିବାର ଚିତ୍ର ମଧ୍ୟ ସାମନାକୁ ଆସିଛି । ଉଦ୍ଧାର କାଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ୪ ୟୁନିଟ୍ ଏନଡିଆରଏଫ ‘ଟିମ୍ ଭୁବନେଶ୍ୱରରୁ ଆସାମ୍ କୁ ପଠାଯାଇଛି । ତେବେ ସବୁଠାରୁ ଅଧିକ  ପ୍ରଭାବିତ ଜିଲ୍ଲା ବାରପେଟା ପ୍ରକୃତିର ଏହି କରାଳ ପରିସ୍ଥିତିକୁ ସାମନା କରିଛି । ତେବେ ଉଦ୍ଧାର କାଯ୍ୟରେ ସେନା ସମେତ ଏନଡିଆରଏଫ , ଏସଡିଆରଏଫ ଓ ଆସାମ ପୋଲିସର ଅଗ୍ନିଶମ ବିଭାଗ ନିୟୋଜିତ ରହିଛନ୍ତି ।

ଅନ୍ୟପଟେ ଏହି ଜଟିଳ ପରିସ୍ଥିତି ମଧ୍ୟରେ ରାଜନୀତି ମଧ୍ୟ ସରଗରମ ହୋଇଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ବନ୍ୟାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ସେହିପରି ନିଜ ଦଳର କର୍ମାମାନଙ୍କୁ ଆସାମରେ ବନ୍ୟା ପ୍ରଭାବିତଙ୍କ ସହ ଛିଡା ହେବା ସହ ଉଦ୍ଧାର କାର୍ଯ୍ୟରେ ବ୍ୟାପକ ସହଯୋଗ କରିବା ପାଇଁ କହିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ଆସାମ୍ ପରିଦର୍ଶନ କରି ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବା ଉଚିତ୍ ବୋଲି କଂଗ୍ରେସ ସାଂସଦ ଗୌରଭ ଗୋଗୋଇ କହିଛନ୍ତି । ଅନ୍ୟପଟେ ବିଜେପିକୁ ତେରଛା ବାଣ ମାରି ମୋଦି ମହାରାଷ୍ଟ୍ର ସରକାର ଗଠନ ଓ ଗୁଜରାଟ୍ ନିର୍ବାଚନରେ ବ୍ୟସ୍ତ ଅଛନ୍ତି ବୋଲି କହି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି ।

 ଆସାମ୍ରେ ବନ୍ୟା କାରଣରୁ ସୃଷ୍ଟି ହୋଇଥିବା ଉକ୍ରଟ ପରିସ୍ଥିତି ଭିତରେ ଆକାଶ ମାର୍ଗରୁ ବନ୍ୟା ପ୍ରଭାହିତ ଅଂଚଳର ଏରିଅଲ୍ ସର୍ଭେ କରିଛନ୍ତି ଆସାମ୍ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ବନ୍ୟା ପ୍ରଭାବିତ ଅଂଚଳର ପରିସ୍ଥିତି ସମୀକ୍ଷା କରିବା ନେଇ ଟୁଇଟ୍ କରି ଜଣାଇଛନ୍ତି ଆସାମ୍ ମୁଖ୍ୟମନ୍ତ୍ରୀ । ରିଲିଫ କାଯ୍ୟକୁ ତ୍ୱାରନ୍ୱିତ କରିବା ନେଇ ମଧ୍ୟ ସେ ପ୍ରକାଶ କରିଛନ୍ତି ।