ଆସାମ ନିର୍ବାଚନ: ୯୨ ଆସନରେ ବିଜେପି ଦେବ ପ୍ରାର୍ଥୀ । ଜାଣନ୍ତୁ ଏଜିପି ଓ ୟୁପିପିଏଲ କୁ କେତେ ଆସନ ଛାଡିଲେ ସର୍ବାନନ୍ଦ ।

306

କନକ ବ୍ୟୁରୋ : ଆସାମ ବିଧାନସଭା ନିର୍ବାଚନ ପାଇଁ ବିଜେପି ଓ ତା’ର ସହଯୋଗୀଦଳ ମାନଙ୍କ ମଧ୍ୟରେ ଆସନ ବୁଝାମଣା ଶେଷ ହୋଇଛି   । ୧୨୬ ଆସନ ବିଶିଷ୍ଠ ଆସାମରେ ବିଜେପି ୯୨ ଟି ଆସନରେ ଲଢିବା ସହ ସହଯୋଗୀ ଆସାମ ଗଣପରିଷଦ (ଏଜିପି) ୨୬ ଟି ଓ ୟୁନାଇଟେଡ ପିପୁଲ୍ସ ପାର୍ଟି ଲିବେରାଲ (ୟୁପିପିଏଲ) ୮ ଟି ଆସନରେ ନିର୍ବାଚନ ଲଢିବ । ଏନେଇ ବିଜେପି ଓ ତା’ର ସହଯୋଗୀ ଦଳମାନେ ଖୁବଶୀଘ୍ର ପ୍ରାର୍ଥୀ ତାଲିକା ଘୋଷଣା କରିବେ ବୋଲି କୁହାଯାଇଛି ।

ଆସାମ ବିଜେପି ଅଧ୍ୟକ୍ଷ ରଞ୍ଜିତ ଦାସ କହିଛନ୍ତି କି, ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ଆସନ ପାଇଁ ଦଳ ଖୁବଶୀଘ୍ର ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିବା । ଏହାସହ ଏବେ ମୁଖ୍ୟମନ୍ତ୍ରୀ ଥିବା ସର୍ବାନନ୍ଦ ସୋନୱାଲ ହିଁ ପୁଣିଥରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ସେ କହିଛନ୍ତି ।

ଏଥର ଆସାମରେ ବିଜେପି କ୍ଷମତା ବଞ୍ଚାଇବାକୁ ଚେଷ୍ଟା କରିବ । କାରଣ ବିଜେପି ଆଗରେ ବଡ ପ୍ରତିଯୋଗୀ ଭାବେ ଉଭା ହୋଇଛି କଂଗ୍ରେସ ଓ ଏଆଇୟୁଡିଏଫ୍ ମେଣ୍ଟ । ପୂର୍ବ ଦଶବର୍ଷର କଂଗ୍ରେସ ଶାସନକୁ ହଟାଇ ୨୦୧୬ ମସିହାରେ ବିଜେପି ଆସାମରେ କ୍ଷମତାକୁ ଫେରିଥିଲା । ଏହା ପୂର୍ବ ଭାରତରେ ବିଜେପିର ପ୍ରଥମ ସରକାର ଥିଲା ।

କହିରଖୁ କି ୨୦୧୬ ମସିହା ବିଧାନସଭା ନିର୍ବାଚନରେ ବିଜେପି ୬୦ ଟି ଆସନରେ ବିଜୟୀ ହୋଇଥିଲା । ଏହାସହ ଆସାମ ଗଣପରିଷଦକୁ ୧୪ଟି ଆସନରେ ବିଜୟ ମିଳିଥିଲା । ୟୁପିପିଏଲ ପ୍ରଥମଥର ପାଇଁ ବିଜେପି ମେଣ୍ଟରେ ସାମିଲ ହୋଇଛି । ହେଲେ ବର୍ତମାନ ବିଧାନସଭାରେ ତାଙ୍କର ଜଣେ ବି ବିଧାୟକ ନାହାନ୍ତି । ୨୦୧୬ ରେ ବିଜେପି ଓ ଏଜିପି ସହ ମେଣ୍ଟରେ ଥିଲା ବୋର୍ଡଲାଣ୍ଡ ପିପୁଲ୍ସ ପାର୍ଟିି (ବିପିଏଫ୍) ଓ ଗତ ନିର୍ବାଚନରେ ବିପିଏଫ୍ ୧୨ ଟି ଆସନରେ ବିଜୟୀ ହୋଇଥିଲା । ହେଲେ ଏଥର ନିର୍ବାଚନ ପୂର୍ବରୁ ବିପିଏଫ୍ ବିଜେପି ମେଣ୍ଟରୁ ବାହାରି ଯାଇ କଂଗ୍ରେସ ଓ ଏଆଇୟୁଡିଏଫ୍ ମେଣ୍ଟରେ ସାମିଲ ହୋଇଛି ।

ଆସାମ ବିଧାନସଭାରେ ମୋଟ ୧୨୬ ଟି ଆସନ ରହିଛି । କେନ୍ଦ୍ର ନିର୍ବାଚନ କମିଶନଙ୍କ ସୂଚନା ମୁତାବକ ରାଜ୍ୟରେ ୨୭ ମାର୍ଚ୍ଚରୁ ୬ ଏପ୍ରିଲ ମଧ୍ୟରେ ୩ ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ । ୨୭ ମାର୍ଚ୍ଚରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪୭ ଟି ଆସନ ପାଇଁ ଭୋଟ ଗ୍ରହଣ ହେବ । ଏହାସହ ମାର୍ଚ୍ଚ ୯ ତାରିଖକୁ ନାମାଙ୍କନର ଶେଷ ତାରିଖ ଭାବେ ଘୋଷଣା କରାଯାଇଛି । ମେ’ ୨ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ ।