ଆସାମର କୋଭିଡ କେୟାର ସେଂଟରରେ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ : ଭିଡିଓ ଭାଇରାଲ ପରେ ମୁଖମନ୍ତ୍ରୀ ଦେଲେ ତଦନ୍ତ ନିର୍ଦ୍ଦେଶ

218

କନକ ବ୍ୟୁରୋ : ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ବୋଲି କୁହାଯାଏ । ଆଉ ଏ କରୋନା ସମୟରେ ଡାକ୍ତର ଏବଂ ସ୍ୱାସ୍ଥ୍ୟ ସେବା ଯୋଗାଉଥିବା ପ୍ରତିଟି ବ୍ୟକ୍ତି ଜଣେ ଜଣେ ଯୋଦ୍ଧା । କରୋନା ସଂକ୍ରମିତ ଚିହ୍ନଟ ହେଲେ ପରିବାର ଲୋକ ବି ପାଖକୁ ଆସୁନାହାନ୍ତି, ଏଭଳି ସ୍ଥିତିରେ ଡାକ୍ତର ଓ ନର୍ସ ପ୍ରତିଦିନ ରୋଗୀଙ୍କ ପାଖକୁ ଯାଉଛନ୍ତି ଏବଂ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି । ହେଲେ ଆସାମରେ ସେଇ ଚିକିତ୍ସକଙ୍କୁ ମରଣାନ୍ତକ ଆକ୍ରମଣ ।

ଆସାମର କୋଭିଡ ହସ୍ପିଟାଲରେ ଡାକ୍ତର ସିୟୋଜ କୁମାରଙ୍କ ଉପରେ ଆକ୍ରମଣ ହେବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆସାମ ହୋଜଲ ଜିଲ୍ଲାର ଏକ କୋଭିଡ କେୟାର ସେଂଟରରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ଜଣେ କୋଭିଡ ରୋଗୀଙ୍କ ମୃତ୍ୟୁ ପରେ କିଛି ଲୋକ ରାଗି ଯାଇ ପୁଲିସ ଉପସ୍ଥିତିରେ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଘଟଣାରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଛି । ୨୪ ଜଣଙ୍କୁ ଗିରଫ କରାଯାଇଛି ।

ଆସାମ ହୋଜଲ ଜିଲ୍ଲାର କୋଭିଡ କେୟାର ସେଂଟରରେ ଡାକ୍ତରଙ୍କୁ ମାଡ ମରାଯାଉଥିବା ଭିଡିଓ ଭାଇରାଲ ହେବା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା । ଘଟଣାକୁ ନିନ୍ଦା କରିବା ସହ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନିଜେ ତଦନ୍ତ ପ୍ରକ୍ରିୟାକୁ ଅନୁଧ୍ୟାନ କରିବା ସହ ଆହାତ ଡାକ୍ତରଙ୍କୁ ନ୍ୟାୟ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏହାସହ ଟ୍ୱିଟ୍ କରି ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଏହି ଘଟଣାରେ ଏବେ ସୁଦ୍ଧା ୨୪ ଜଣଙ୍କୁ ଗିରଫ କରାଯାଇଛି । ସେପଟେ ଏଭଳି ସ୍ଥିତିରେ ଡାକ୍ତରଙ୍କ ଉପରେ ଏଭଳି ଆକ୍ରମଣକୁ ଗୁରୁତର ସହ ନେଇଛି ଇଣ୍ଡିଆନ୍ ମେଡିକାଲ ଆସୋସିଏସନ । ଆକ୍ରମଣ ବିରୋଧରେ ଆଇଏମଏ ପକ୍ଷରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖାଯାଇଛି ।