ସମ୍ବଲପୁରରେ ଅହମିଆ ସାହିତ୍ୟିକଙ୍କ ବାସଭବନ ପରିଦର୍ଶନ କଲେ ଆସାମ ସଂସ୍କୃତି ମନ୍ତ୍ରୀ ! ଘରକୁ କରାଯିବ ସାଂସ୍କୃତିକ ପରିସର

54

କନକ ବ୍ୟୁରୋ: ବେଜବରୁଆଙ୍କ ବାସଭବନ ପରିଦର୍ଶନ କରିଛନ୍ତି ଆସାମ ସଂସ୍କୃତି ମନ୍ତ୍ରୀ । ଅହମିଆ ସାହତ୍ୟିକ ବେଜବରୁଆଙ୍କ ସମ୍ବଲପୁରରେ ଥିବା ବାସଭବନ ରକ୍ଷା ପାଇଁ ଆସାମ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଗତକାଲି ଓଡିଶାରେ ପହଂଚିଥିବା ଆସାମ ସଂସ୍କୃତି-ଯୁବବ୍ୟାପାର ମନ୍ତ୍ରୀ ନବକୁମାର ଡୋଲେ ଓ ଆସାମ ମୁଖ୍ୟମନ୍ତ୍ରୀଙ୍କ ମିଡିଆ ପରାମର୍ଶଦାତା ହୃଷିକେଶ ଗୋସ୍ୱାମୀଙ୍କ ସମେତ ୪ ଜଣିଆ ଟିମ୍ ଆଜି ବେଜବରୁଆଙ୍କ ବାସଭଭନ ପରିଦର୍ଶନ କରିଛନ୍ତି । ଏହାସହ ବେଜବରୁଆଙ୍କ ଜମି ମାମଲା ନେଇ ଉଭୟ ସମ୍ବଲପୁର ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଆଲୋଚନା କରିଛନ୍ତି । ଆଲୋଚନାରେ ୨ ଟି ଯାକ ଘରକୁ କିପରି ବଂଚାଇ ହେବ ତା ଉପରେ ଆଲୋଚନା କରାଯାଇଛି । ଏପଟେ ଜିଲ୍ଲାପାଳ କହିଛନ୍ତି ୨ ଟି ଘରକୁ ରଖିବା ପାଇଁ ସମ୍ପୁର୍ଣ୍ଣ ଚେଷ୍ଟା କରାଯାଉଛି । ଆବଶ୍ୟକ ପଡିଲେ ନକ୍ସା ମଧ୍ୟ ପରିବର୍ତ୍ତନ କରିବାକୁ ଚେଷ୍ଟା କରାଯିବ । ସରକାର ଯାହା ନିର୍ଦ୍ଦେଶ ଦେବେ ସେହି ଅନୁସାରେ କାମ କରାଯିବ ।

ଏହାସହ ଆସନ୍ତାକାଲି ଏହି ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟ ସାକ୍ଷାତ କରିବେ । ଏହି ଅବସରରେ ବେଜବରୁଆ ବାସଭବନ ସଂରକ୍ଷଣ ନେଇ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କ ଅନୁରୋଧ ପତ୍ର ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେବେ ବୋଲି ଜଣାପଡିଛି । ଆଗାମୀ ଦିନରେ ବେଜବରୁଆଙ୍କ ଏହି ବାସଭବନକୁ ସାଂସ୍କୃତିକ ପରିସର ପାଇଁ ଯୋଜନା ରଖିଥିବା କହିଛନ୍ତି ଆସାମ ସଂସ୍କୃତି ମନ୍ତ୍ରୀ ଓ ଆସାମ ମୁଖ୍ୟମନ୍ତ୍ରୀଙ୍କ ମିଡିଆ ପରାମର୍ଶଦାତା ।

ଅହିମିଆ ଭାଷାର ପ୍ରଥମ ଗଦ୍ୟ ଲେଖକ ଲକ୍ଷ୍ମୀକାନ୍ତ ବେଜବରୁଆ ସମ୍ବଲପୁରରେ ରହି ସାହିତ୍ୟ ସାଧନା କରିଥିଲେ । ଆସାମରେ ଜନ୍ମ ଗ୍ରହଣ କରିଥିବା ସହିତ୍ୟ ସାଧକ କଲିକତାରେ ପାଠ ପଢିବା ପରେ ୧୯୧୭ ମସିହାରେ ବାଡ୍ କମ୍ପାନୀରେ ଚାକିରି କରିଥିଲେ । ସମ୍ବଲପୁରରେ ରହିବା ସମୟରେ ୧୯୨୪ ମସିହାରେ କଚେରୀ ଛକ ଠାରେ ପାଖାପାଖି ୨ ଏକର ଜାଗାରେ ନିଜର ଅଫିସ୍ ଓ ବାସଭବନ ତିଆରି କରି ରହିବା ସହ ୨୦ ବର୍ଷ କାଳ ସାହିତ୍ୟ ସାଧନା କରିଥିଲେ । ଅହିମିଆ ଭାଷାରେ ତାଙ୍କ ଲିଖିତ ପ୍ରତ୍ୟେକଟି ଗଦ୍ୟରେ ଓଡିଶାର ସଂସ୍କୃତି, ସମ୍ବଲପୁର ସଂସ୍କୃତି, ମହାନଦୀର କଥା ବନ୍ଧନା କରାଯାଇଛି । ଆସାମର ରାଷ୍ଟ୍ରୀୟ ସଂଗୀତର ସ୍ରଷ୍ଟା ହେଉଛନ୍ତି ଲକ୍ଷ୍ମୀକାନ୍ତ ବେଜବରୁଆ ।