ଆସାମ ନିର୍ବାଚନ ପୂର୍ବରୁ କଂଗ୍ରେସର ବଡ ଘୋଷଣା । କ୍ଷମତାକୁ ଆସିଲେ ସରକାରୀ ଚାକିରୀରେ ମହିଳାଙ୍କୁ ମିଳିବ ୫୦ ପ୍ରତିଶତ ସଂରକ୍ଷଣ । ୫ ଲକ୍ଷ ଯୁବକଙ୍କୁ ନିଯୁକ୍ତି

249

କନକ ବ୍ୟୁରୋ : ୪ ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ନିର୍ବାଚନ ପୂର୍ବରୁ ଭୋଟର ମାନଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ରାଜନୈତିକ ଦଳମାନେ ଲୋଭନୀୟ ଇସ୍ତାହାରମାନ ଘୋଷଣା କରିବାରେ ଲାଗିଛନ୍ତି । ଏହି କ୍ରମରେ ଆସାମରେ କଂଗ୍ରେସ ମହିଳା ଭୋଟରଙ୍କୁ ନିଜ ସପକ୍ଷରେ ଆଣିବାକୁ ଏକ ବଡ ଘୋଷଣା କରିଛି । ଆସାମରେ ଯଦି କଂଗ୍ରେସ ମେଣ୍ଟ ସରକାରକୁ ଆସେ ତାହେଲେ ରାଜ୍ୟର ମହିଳାମାନଙ୍କୁ ସରକାରୀ ଚାକିରୀ କ୍ଷେତ୍ରରେ ୫୦ ପ୍ରତିଶତ ସଂରକ୍ଷଣ ମିଳିବ । ଏହା ଘୋଷଣା କରିଛନ୍ତି ଅଖିଳ ଭାରତୀୟ ମହିଳା କଂଗ୍ରେସର ପ୍ରମୁଖ ସୁଷ୍ମିତା ଦେବ ।

ସେପଟେ ମାର୍ଚ୍ଚ ୨ ତାରିଖରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଆସାମବାସୀଙ୍କ ପାଇଁ ୫ ଟି ବଡ ଘୋଷଣା କରିଥିଲେ । ଯାହା ମଧ୍ୟରେ ରହିଛି ଆସାମର ବେକାର ଯୁବକ ଯୁବତୀ ମାନଙ୍କ ପାଇଁ ୫ ଲକ୍ଷ ସରକାରୀ ଚାକିରୀର ଗ୍ୟାରେଣ୍ଟି , ପ୍ରତ୍ୟେକ ଘରୋଇ ମହିଳାମାନଙ୍କ ପାଇଁ ପ୍ରତିମାସ ୨ ହଜାର ଟଙ୍କା ଭତ୍ତା, ସମସ୍ତଙ୍କୁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି, ସଂଶୋଧିତ ନାଗରିକ ଆଇନକୁ ରଦ୍ଦ କରିବାକୁ ନୂଆ ଆଇନ ଓ ଚା’ ବଗିଚାରେ କାମ କରୁଥିବା ମଜୁରୀଆଙ୍କ ଦୈନିକ ମଜୁରୀ ୩୬୫ ଟଙ୍କାକୁ ବୃଦ୍ଧି ।

ଆସାମ କଂଗ୍ରେସର ବିଧାୟକଦଳ ନେତା ଦେବଦତ୍ତ ସୌଫିଆ କହିଛନ୍ତି କି ବେରୋଜଗାର ଯୁବକ ଯୁବତୀ ମାନଙ୍କ ପାଇଁ ଏକ ୱେବସାଇଟ ଖୋଲାଯାଇଛି । ଏଥିରେ ସେମାନେ ତାଙ୍କ ନାମ ପଞ୍ଜିକରଣ କରିପାରିବେ । କଂଗ୍ରେସ ସରକାରକୁ ଆସିଲେ ପ୍ରଥମେ ସେମାନଙ୍କୁ କିଭଳି ନିଯୁକ୍ତି ଦିଆଯିବ ତାହା ଉପରେ କାମ କରିବ ।

କହିରଖୁ କି ଆସାମ ନିର୍ବାଚନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି ମହିଳାମାନେ । ରାଜ୍ୟରେ ମୋଟ ଭୋଟର ୨.୩୧ କୋଟି ଥିବା ବେଳେ ସେମାନଙ୍କ ମଧ୍ୟରୁ ୧.୧୪ କୋଟି ମହିଳା ଭୋଟର ରହିଛନ୍ତି । ଏବେ କଂଗ୍ରେସ ମହିଳା ଭୋଟର ମାନଙ୍କୁ ନିଜ ଆଡକୁ ଆକର୍ଶିତ କରିବାକୁ ମହିଳା କାର୍ଡ ଖେଳୁଥିବା କଥା କୁହାଯାଇଛି ।

Comments are closed.