କନକ ବ୍ୟୁରୋ : ରାହୁଲ ଗାନ୍ଧୀଙ୍କ ନାଁରେ ମାନହାନି ମୋକଦ୍ଦମା କରିବେ ଆସାମ ମୁଖ୍ୟମନ୍ତ୍ରୀ । ଅଦାନୀ ପ୍ରସଙ୍ଗକୁ ନେଇ ରାହୁଲ ଗାନ୍ଧୀ କରିଥିବା ଟ୍ୱିଟକୁ ନେଇ ଏଭଳି କହିଛନ୍ତି ହିମନ୍ତ ବିଶ୍ୱଶର୍ମା । ସେ କହିଛନ୍ତି ରାହୁଲ ଗାନ୍ଧୀ ଯାହା ବି ଟ୍ୱିଟ୍ କରିଛନ୍ତି ତାହା ମାନହାନି କଲାଭଳି ଟ୍ୱିଟ୍ । ତେଣୁ ପ୍ରଧାନମନ୍ତ୍ରୀ ଥରେ ଆସାମ ଗସ୍ତ ସାରି ଫେରିଯିବା ପରେ ଏନେଇ ଗୌହାଟିରେ ମାନହାନି ମୋକଦ୍ଦମା ରୁଜୁ କରିବି । ଯେହେତୁ ଆସାମ ଏବେ ବିହୁ ପର୍ବ ପାଳନ କରୁଛି ତେଣୁ ଏବେ ଅଦାଲତ ଯିବୁ ନାହିଁ । ଏପ୍ରିଲ ୧୪ ପରେ ଏହି ଟ୍ୱିଟ୍ ପ୍ରସଙ୍ଗକୁ ନେଇ କୋର୍ଟ ଯିବୁ ବୋଲି କହିଛନ୍ତି ହିମନ୍ତ ।

Advertisment

ଏହାପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ଟ୍ୱିଟକୁ ନେଇ ଏହାର ଜବାବ ରଖିଥିଲେ ହିମନ୍ତ ବିଶ୍ୱଶର୍ମା । ଟ୍ୱିଟ୍ କରି ହିମନ୍ତ କହିଥିଲେ ଏହା ମୋର ଶାଳୀନତା ଥିଲା ଯେ, ବୋଫର୍ସ ଓ ନ୍ୟାସନାଲ ହେରାଲ୍ଡ ଘୋଟାଲାରେ କରିଥିବା ଆୟକୁ କେଉଁଠି ଲୁଚାଇଛନ୍ତି ତାହା କେବେ ପଚାରିନଥିଲି? ଖୁବଶୀଘ୍ର କୋର୍ଟରେ ଦେଖା ହେବା ବୋଲି କହିଥିଲେ ହିମନ୍ତ ବିଶ୍ୱଶର୍ମା ।

ଅଦାନୀଙ୍କ ପ୍ରସଙ୍ଗରେ ଗତ ୮ତାରିଖରେ ଏକ ଟ୍ୱିଟ୍ କରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ପଜଲ ଢଙ୍ଗରେ ଅଦାନୀଙ୍କ ନାଁ ଲେଖାଥିବା ଏହି ଟ୍ୱିଟରେ ୫ ପୂର୍ବତନ କଂଗ୍ରେସ ନେତାଙ୍କ ନାଁ ରହିଥିଲା । ଯେଉଁମାନଙ୍କ ନାଁର ଗୋଟିଏ ଲେଖାଏଁ ଅକ୍ଷର ଜରିଆରେ ଅଦାନୀଙ୍କ ନାଁ ରହିଥିଲା । ଆଉ ଏହି ଟ୍ୱିଟ୍ କରି ରାହୁଲ ପଚାରିଥିଲେ ଅଦାନୀଙ୍କ ସେଲ୍ କମ୍ପାନୀରେ ୨୦ ହଜାର କୋଟିର ବେନାମୀ ଟଙ୍କା କାହାର?

ଅଦାନୀଙ୍କ ସେଲ କମ୍ପାନିରେ ବେନାମୀ ଟଙ୍କା କାହାର ବୋଲି ଲଗାତାର ପ୍ରଶ୍ନ କରି ଆସୁଛନ୍ତି ବିରୋଧୀ । ଖାସକରି ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗକୁ ସଂସଦରୁ ଆରମ୍ଭ କରି ସଡକ ପର୍ଯ୍ୟନ୍ତ ସବୁଠି ଉଠାଇଛନ୍ତି । ଏତେବଡ ଅଭିଯୋଗ ଆସିଥିଲେ ମଧ୍ୟ ମୋଦୀ ସରକାର ଅଦାନୀଙ୍କୁ ବଞ୍ଚାଇବାକୁ ଚାହୁଁଛନ୍ତି ବୋଲି ରାହୁଲ କହୁଛନ୍ତି । ସେହିଭଳି କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ଅଦାନୀଙ୍କର ଚୀନ୍ ନାଗରିକଙ୍କ ସହ ବ୍ୟବସାୟିକ ସମ୍ପର୍କ ରହିଛି । ଯାହା ରାଷ୍ଟ୍ରୀୟ ସୁରକ୍ଷା ପାଇଁ ବିପଦ ।