ଶାହାରୁଖ ମୋତେ କଲ କରିଥିଲେ, ରାତି ୨ଟାରେ କଥା ହେଲୁ । କିଙ୍ଗ୍ ଖାନଙ୍କୁ ନେଇ ଟ୍ୱିଟ୍ କରି କଣ କହିଲେ ହିମନ୍ତ ବିଶ୍ୱଶର୍ମା?

552

କନକ ବ୍ୟୁରୋ : ଆସନ୍ତା ୨୫ ତାରିଖରେ ହଲକୁ ଆସିବ ଶାହାରୁଖଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ପଠାନ୍ । ଏହି ଫିଲ୍ମର ରିଲିଜକୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଥିବା ବେଳେ ବିବାଦ ମଧ୍ୟ କିଛି କମ ନୁହେଁ । ପଠାନ୍ ଫିଲ୍ମ ରିଲିଜ ପୂର୍ବରୁ ଏହାର ଗୀତକୁ ନେଇ ବିବାଦ ଦେଖିବାକୁ ମିଳିଥିଲା । ଆଉ ଏସବୁ ବିବାଦ ଭିତରେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଶାହାରୁଖ କିଏ ପଚାରିଥିଲେ? କିନ୍ତୁ ଏବେ ଟ୍ୱିଟ୍ କରି ଶାହାରୁଖଙ୍କ ବାବଦରେ ବଡ ବୟାନ ଦେଇଛନ୍ତି ବିଶ୍ୱଶର୍ମା ।

ହିମନ୍ତ ବିଶ୍ୱଶର୍ମା ଟ୍ୱିଟ୍ କରି କହିଛନ୍ତି ଶାହାରୁଖ ମୋତେ ରାତି ୨ଟାରେ ଫୋନ୍ କରି କଥା ହୋଇଥିଲେ । ଏପରିକି ନିଜ ଫିଲ୍ମର ସ୍କ୍ରିନିଂ ବେଳେ ଗୌହାଟୀରେ ହୋଇଥିବା ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଥିଲେ । ଏ ବାବଦରେ ଶାହାରୁଖଙ୍କୁ ମୁଁ ଆଶ୍ୱସ୍ତ କରିଛି ଯେ, ଆଇନ ଶୃଙ୍ଖଳା ବଜାୟ ରଖିବା ରାଜ୍ୟ ସରକାରଙ୍କ ଦାୟିତ୍ୱ । ଏହି ଘଟଣା ବାବଦରେ ଆମେ ପଚରାଉଚରା କରୁଛୁ ଏବଂ ଆଗକୁ ଯେପରି ଏହି ଘଟଣାର ପୁନରାବୃତ୍ତି ନ ହୁଏ ତାହା ସୁନିଶ୍ଚିତ କରିବୁ ।

ଏହାପୂର୍ବରୁ ଶୁକ୍ରବାର ଆସାମରେ ବଜରଙ୍ଗ ଦଳ ପକ୍ଷରୁ ହଲ୍ ବାହାରେ ପଠାନ ଫିଲ୍ମକୁ ନେଇ ବିରୋଧ କରାଯାଇଥିଲା । ପଠାନ୍ ଫିଲ୍ମର ପୋଷ୍ଟର ଜଳାଇଥିଲେ । ଯାହାକୁ ନେଇ କିଛି ସାମ୍ବାଦିକ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କୁ ପ୍ରଶ୍ନ କରିଥିଲେ । ଆଉ ଏହାର ଜବାବରେ ହିମନ୍ତ କହିଥିଲେ, ଶାହାରୁଖ କିଏ ? ମୁଁ ତାଙ୍କ ବାବଦରେ କିଛି ଜାଣିନି କି ପଠାନ ଫିଲ୍ମ ବାବଦରେ ମୋତେ କିଛି ଜଣାନାହିଁ । ଏପରିକି ଶାହାରୁଖ ତ କାଇଁ ମୋତେ ଫୋନ୍ କରିନାହାନ୍ତି । ଯେତେବେଳେ କିଛି ସମସ୍ୟା ଆସେ ବଲିଉଡ କଳାକାର ମୋତେ କଲ କରନ୍ତି । ଯଦି ଶାହାରୁଖ ମୋତେ ଫୋନ୍ କରନ୍ତି ତେବେ ଏହି ଘଟଣାକୁ ମୁଁ ଗମ୍ଭୀରତାର ସହ ନେବି । ଏହି ଘଟଣା ଉପରେ କାର୍ଯ୍ୟାନୁଷ୍ଠାନ ନେବି । ଯଦି ଆଇନକୁ କେହି ହାତକୁ ନେବାକୁ ଚେଷ୍ଟା କରନ୍ତି ତେବେ ସେମାନଙ୍କ ବିରୋଧରେ ମାମଲା ରୁଜୁ ହେବ ।

ଆଉ ହିମନ୍ତ ବିଶ୍ୱଶର୍ମାଙ୍କ ଏହି ବୟାନ ପରେ ଶାହାରୁଖ ଖାନ୍ ତାଙ୍କ ସହ କଥା ହୋଇଥିଲେ । ଯାହା ବାବଦରେ ଟ୍ୱିଟ କରି ସୂଚନା ଦେଇଛନ୍ତି ଶାହାରୁଖ । ପଠାନ୍ ଫିଲ୍ମରେ ଶାହାରୁଖଙ୍କ ସମେତ ଦୀପିକା ପାଦୁକୋନ ଓ ଜନ ଆବ୍ରାହମ ଲିଡ୍ ରୋଲରେ ରହିଛନ୍ତି । ଆଉ ଏହି ଫିଲ୍ମର ବେସରମ ଗୀତକୁ ନେଇ ବିବାଦ ଦେଖିବାକୁ ମିଳିଥିଲା । ଏପରିକି ପଠାନକୁ ବୟକଟ କରିବାକୁ ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ ହୋଇଥିଲା ।