କନକ ବ୍ୟୁରୋ : ରାଜସ୍ଥାନରେ ନଭେମ୍ବର ୨୫ ତାରିଖରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହି କ୍ରମରେ ରାଜ୍ୟରେ ବାହାର ନେତାଙ୍କ ଭିଡ ଲାଗିଛି । କଂଗ୍ରେସର କେନ୍ଦ୍ରୀୟ ନେତାମାନେ ରାଜସ୍ଥାନରେ ଭିଡ ଜମାଇଥିବା ବେଳେ ବିଜେପିର ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଦଳୀୟ ପ୍ରଚାର ପାଇଁ ରାଜସ୍ଥାନରେ ପହଂଚିଛନ୍ତି । ଏହି କ୍ରମରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ରାଜସ୍ଥାନରେ ବିଜେପି ପାଇଁ ପ୍ରଚାର କରିଛନ୍ତି ।

Advertisment

ନିର୍ବାଚନୀ ପ୍ରଚାର ବେଳେ କଂଗ୍ରେସ ଓ ବିଜେପି ପରସ୍ପରକୁ କଟାକ୍ଷ କରିବାରେ ଲାଗିଛନ୍ତି । ଉଭୟ ଦଳ ଆଗାମୀ ନିର୍ବାଚନରେ ବିଜୟୀ ହୋଇ ରାଜସ୍ଥାନରେ ସରକାର ଗଠନ କରିବେ ବୋଲି ଦାବି କରୁଛନ୍ତି । ଏହି କ୍ରମରେ ହିମନ୍ତ ବିଶ୍ୱଶର୍ମା କହିଛନ୍ତି କି ମୁଁ ଖୋଲାଖୋଲି ଭାବେ ହିନ୍ଦୁତ୍ୱ ରାଜନୀତି କରୁଛି । ଏଥିରେ କାହାର କିଛି ଅସୁବିଧା ନାହିଁ । ସେ କହିଛନ୍ତି କି, ଭାରତରେ ହିନ୍ଦୁର ଅର୍ଥ ହେଉଛି ସବକା ସାଥ୍ ସବକା ବିକାଶ । ହିନ୍ଦୁ ଅର୍ଥ ଭାରତୀୟ ତେଣୁ ହିନ୍ଦୁତ୍ୱକୁ ନେଇ ରାଜନୀତି କରିବାରେ କୌଣସି ଅସୁବିଧା ନାହିଁ ବୋଲି ସେ କହିଛନ୍ତି ।

ଏହା ପୂର୍ବରୁ ପ୍ରତାପଗଡ ଠାରେ ହିମନ୍ତ ବିଶ୍ୱଶର୍ମା ଏକ ନିର୍ବାଚନୀ ସଭାକୁ ଉଦବୋଧନ ଦେବା ଅବସରରେ କଂଗ୍ରେସକୁ ଟାର୍ଗେଟ କରିଥିଲେ । ସେ କହିଥିଲେ ଯେ, ଆପଣ ଦେଖିପାରୁଥିବେ ରାଜସ୍ଥାନକୁ କଂଗ୍ରେସ ଏକ ବୈଜ୍ଞାନିକ ତରିକାରେ ଲୁଟ କରିଛି ।

ସେପଟେ ହିମନ୍ତ ଖୋଲାଖୋଲି ଭାବେ ପୁଣିଥରେ ମଦ୍ରାସାକୁ ବନ୍ଦ କରିବା ନେଇ ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି କି ସରକାରୀ ଅନୁଦାନରେ ଚାଲୁଥିବା ସମସ୍ତ ମଦ୍ରାସାକୁ ବନ୍ଦ କରିଦେବା ଦରକାର । କାରଣ ମଦ୍ରାସାରେ ଛାତ୍ରମାନଙ୍କୁ ମୁଲ୍ଲା ବନାଯାଉଛି ।