କନକ ବ୍ୟୁରୋ: ଆସାମ ପୋଲିସ ବାଲ୍ୟ ବିବାହ ମାମଲାରେ ଗୁରୁବାର ଠାରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଛି । ବର୍ତ୍ତମାନ ସୁଦ୍ଧା ୧୮ ଶହ ଜଣଙ୍କୁ ଗିରଫ କରାଯାଇଛି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏନେଇ ସୂଚନା ଦେଇଛନ୍ତି । ଏହା ପୂର୍ବରୁ ଆସାମ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ବାଲ୍ୟ ବିବାହ ନେଇ ୪୦୦୪ଟି ମାମଲା ରୁଜୁ ହୋଇଛି ।

Advertisment

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଗୁରୁବାର କହିଥିଲେ ଯେ ତାଙ୍କ ସରକାର ରାଜ୍ୟରେ ବାଲ୍ୟ ବିବାହ ରୋକିବା ପାଇଁ ଦୃଢ ସଙ୍କଳ୍ପ ନେଇଛନ୍ତି । କେବଳ ଏତିକି ନୁହେଁ ଏନେଇ କାର୍ଯ୍ୟାନୁଷ୍ଠାନ ମଧ୍ୟ ଜୋରଦାର କରାଯାଇଛି ।

ଟ୍ୱିଟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆସାମ ପୋଲିସ ରାଜ୍ୟରେ ବାଲ୍ୟ ବିବାହର ୪୦୦୪ଟି ମାମଲା ରୁଜୁ କରିଥିଲା । ଏଥିପାଇଁ ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛନ୍ତି । ଆପଣମାନଙ୍କ ସହଯୋଗ ମଧ୍ୟ ଆମେ ଆଶା କରୁଛୁ । ଗତ ମାସରେ ଆସାମ କ୍ୟାବିନେଟ ବାଲ୍ୟ ବିବାହ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ଲୋକଙ୍କୁ ସହଯୋଗ କରିବାକୁ କୁହାଯାଇଥିଲା । ସେହିଭଳି ୧୪ ବର୍ଷରୁ କମ ବୟସର ନାବାଳିକାଙ୍କୁ ବିବାହ କରୁଥିବା ପୁରୁଷଙ୍କ ବିରୋଧରେ ପକ୍ସୋ ଆକ୍ଟରେ ମାମଲା ରୁଜୁ କରିବା ପାଇଁ ମଞ୍ଜୁରୀ ଦେଇଥିଲେ ।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି, ଆଗାମୀ ୫ରୁ ୬ ମାସ ଏଭଳି ଅନେକ ସ୍ୱାମୀମାନଙ୍କୁ ଗିରଫ କରାଯିବ । ଏଭଳି ଏଥିପାଇଁ କରାଯିବ କାରଣ ୧୪ ବର୍ଷରୁ କମ ବୟସର ଝିଅ ମାନଙ୍କ ସହ ଯୌନ ସମ୍ପର୍କ ରଖିବା ଅପରାଧ । ସେ ଆଇନତଃ ଭାବେ ସ୍ୱାମୀ ହୋଇଥାନ୍ତୁ କିନ୍ତୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମୁଖ୍ୟମନ୍ତ୍ରୀ କହିଛନ୍ତି, ମହିଳାଙ୍କୁ ବିବାହ କରିବାର ଆଇନତଃ ନିୟମ ୧୮ ବର୍ଷ । ଏହିଠାରୁ କମ ବୟସର ଝିଅଙ୍କୁ ବିବାହ କରୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯେଉଁ ପୁରୁଷମାନେ ଏଭଳି ଗିରଫ ହୋଇଛନ୍ତି ସେମାନଙ୍କୁ ଆଜୀବନ କାରଦଣ୍ଡ ହୋଇପାରେ ।