ବୟାନ ପାଇଁ ବିବାଦରେ ଆସାମ ମୁଖ୍ୟମନ୍ତ୍ରୀ: କଂଗ୍ରେସ ସାଂସଦ ରାହୁଲଙ୍କୁ ଉପରେ ଆପତିଜନକ ଟିପ୍ପଣୀ ଦେଇ ପ୍ରଶ୍ନ ଘେରରେ ହିମନ୍ତ ବିଶ୍ୱଶର୍ମା

142

କନକ ବ୍ୟୁରୋ: ରାହୁଲ ଗାନ୍ଧୀଙ୍କ ବିରୋଧରେ ଆପତିଜନକ ବୟାନ ଦେଇ ଏବେ ଅଡୁଆରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ରାହୁଲଙ୍କୁ ତାଙ୍କର ପିତାର ପରିଚୟ ନେଇ ଏକ ଜନସଭାରେ ଆସାମ ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିବା ଘଟଣା ଏବେ ବଡ ବିବାଦ ସୃଷ୍ଟି କରିଛି । ରାହୁଲଙ୍କ ସମର୍ଥନ ଏବେ ବାହାରିଛନ୍ତି ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ ନେତା । ବିଶ୍ୱଶର୍ମାଙ୍କଠୁ କ୍ଷମାପ୍ରାର୍ଥନା ମାଗିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଉଠିଲାଣି ଦାବି ।

ରାହୁଲଙ୍କ ସମର୍ଥନରେ ଏବେ ସ୍ୱର ଉତୋଳନ କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ର ଶେଖର ରାଓ । ଆସାମ ମୁଖ୍ୟମନ୍ତ୍ରୀଙ୍କ ତାଙ୍କର ଏଭଳି ବୟାନ ପାଇଁ ତୁରନ୍ତ ତାଙ୍କୁ ପଦରୁ ଓ ଦଳରୁ ବହିଷ୍କାର କରିବା ପାଇଁ କେସିଆର ଦାବି କରିଛନ୍ତି । କେବଳ ସେତିକି ନୁହେଁ ରାହୁଲଙ୍କ ସହ ସ୍ୱର ମିଶାଇ କେସିଆର ବି ସରକାରଙ୍କଠୁ ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ମାଗିଛନ୍ତି ।

କିଛି ଦିନ ପୂର୍ବରୁ କେନ୍ଦ୍ର ସରକାରଙ୍କୁ ପୁଣି ସର୍ଜିକାଲ ଷ୍ଟ୍ରାଇକକୁ ନେଇ ପ୍ରମାଣ ମାଗିଥିଲେ ରାହୁଲ । ଏଥିରେ ଉତକ୍ଷିପ୍ତ ହୋଇ ଆସାମ ମୁଖ୍ୟମନ୍ତ୍ରୀ କହିଥିଲେ କି ଭାରତୀୟ ସେନାଠୁ ପ୍ରମାଣ ମାଗିବା ରାହୁଲ ଗାନ୍ଧୀଙ୍କ କୌଣସି ଅଧିକାର ନାହିଁ । ରାହୁଲ ଗାନ୍ଧୀ ରାଜୀବ ଗାନ୍ଧିଙ୍କ ପୁଅ କି ନୁହେଁ କେବେ ପ୍ରମାଣ ମଗାଯାଇଛି ବୋଲି ପ୍ରଶ୍ନ କରିଥିଲେ ଆସାମ ମୁଖ୍ୟମନ୍ତ୍ରୀ । କଂଗ୍ରେସ ଓ ଟିଆରଏସକୁ ନେଇ ପ୍ରତି ଆକ୍ରମଣ କରିଛି ବିଜେପି । ପୁଲୱାମା ଆକ୍ରମଣକୁ ୩ବର୍ଷ ପୂର୍ତି ଅବସରରେ ଏଭଳି ପ୍ରଶ୍ନ ଉଠାଇ ସହିଦଙ୍କୁ ଅପମାନ ଦେଉଥିବା କହିଛି ବିଜେପି ।

ଆସାମ ମୁଖ୍ୟମନ୍ତ୍ରୀଙ୍କ ବୟାନ ବଡ ବିବାଦ ମୁହାଁ ହେଲାଣି । ସେପଟେ ହିମନ୍ତ ବିଶ୍ୱଶର୍ମାଙ୍କ ବିରୋଧରେ ବର୍ତମାନ ସ୍ୱର ଉତୋଳନ ଆରମ୍ଭ କରିଛନ୍ତି ବିରୋଧୀ । ବିଭିନ୍ନ ସ୍ଥାନରେ ଆସାମ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପ୍ରଦର୍ଶନ କରୁଛି କଂଗ୍ରେସ।