ଆସାମ ବିଜେପି ଅଧ୍ୟକ୍ଷଙ୍କ ଅଜବ ବୟାନ, ପେଟ୍ରୋଲ ଲିଟର ୨୦୦ ଟଙ୍କା ହେଲେ ବାଇକରେ ୩ ଜଣ ଯିବାକୁ ସରକାର ଦେବେ ଅନୁମତି

174

କନକ ବ୍ୟୁରୋ : ଦେଶରେ ଏବେ ମହଙ୍ଗାମାଡ ସାଧାରଣ ଲୋକଙ୍କ ଅଣ୍ଟା ଭାଙ୍ଗିଦେଲାଣି । ପେଟ୍ରୋଲ, ଡିଜେଲ ଠାରୁ ଆରମ୍ଭ କରି ଖାଇବା ତେଲ ଓ ପନି ପରିବା ଦର ଏବେ ବୃଦ୍ଧି ପାଇଛି ଯେ ସାଧାରଣ ଲୋକ ତାର ଦୈନ ଦିନ ରୋଜଗାରରେ ଖାଲି ଖାଇବା ଯୋଗାଡ କରିବା ଅସମ୍ଭବ ହୋଇ ପଡିଛି । ଏହାରି ଭିତରେ ବିଜେପି ନେତାଙ୍କ ବୟାନ ଯେମିତି କଟା ଘାରେ ଚୁନ ଲଗାଇବା ଭଳି ଲାଗୁଛି ।

ଗତକାଲି ୟୁପିର ଜଣେ ମନ୍ତ୍ରୀ କହିଥିଲେ କି ଦେଶରେ ୯୫ ପ୍ରତିଶତ ଲୋକ ପେଟ୍ରୋଲ ଓ ଡିଜେଲ ବ୍ୟବହାର କରୁନାହାନ୍ତି । ତେଣୁ ତୈଳଦର ବୃଦ୍ଧିକୁ ନେଇ ସାଧାରଣ ଲୋକଙ୍କର କିଛି ସମସ୍ୟା ନାହିଁ । ଏହି କ୍ରମରେ ପୁଣି ଆଜି ଆସାମ ବିଜେପି ଅଧ୍ୟକ୍ଷ ଭାବେଶ କାଲିତାଙ୍କ ବୟାନ ଶୁଣିଲେ ଆପଣ ଭାବିବାକୁ ବାଧ୍ୟହେବେ ଯେ କେତେ ଅଯୋଗ୍ୟ ଲୋକମାନଙ୍କୁ ଆପଣ ନିଜର ପ୍ରତିନିଧି କରି ପଠାଇଛନ୍ତି ।

ଆସାମ ରାଜ୍ୟ କ୍ଷମତାରେ ଥିବା ବିଜେପିର ରାଜ୍ୟ ଅଧ୍ୟକ୍ଷ ଭବେଶ କାଲିତା କହିଛନ୍ତି କି ପେଟ୍ରୋଲର ଦାମ ଯେତେବେଳେ ଲିଟର ପ୍ରତି ୨୦୦ ଟଙ୍କା ଛୁଇଁବ ସେତେବେଳେ ସରକାର ଗୋଟିଏ ମୋଟରସାଇକେଲରେ ୩ ଜଣ ଯିବାକୁ ଅନୁମତି ଦେବେ । ଗୁହାଟି ଠାରେ ସାମ୍ବାଦିକ ମାନଙ୍କୁ କାଲିତା କହିଛନ୍ତି କି ପେଟ୍ରୋଲ ଲିଟର ୨୦୦ ଟଙ୍କା ହେବା ପରେ ଆମେ ସରକାରଙ୍କ ଠାରୁ ଟ୍ରିପଲ ରାଇଡିଂ ପାଇଁ ଅନୁମତି ଆଣିବୁ ନଚେତ ତିନିଜଣ ସୁବିଧାରେ ବସିପାରୁଥିବା ମୋଟରସାଇକେଲ ନିର୍ମାଣ କରିବୁ । ଅନ୍ୟପଟେ ଖାଇବା ତେଲ ଅତ୍ୟାବଶକୀୟ ସାମଗ୍ରୀର ମୂଲ୍ୟ ବୃଦ୍ଧିକୁ ନେଇ ସେ କହିଛନ୍ତି କି ଯେତେବେଳେ ଅମଳ ହେବ ସେତେବେଳେ ଶସ୍ତା ହେବ ।

କେବଳ ଭବେଶ କାଲିତା ନୁହେଁ ଏହା ପୂର୍ବରୁ ବି ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ରାଜ୍ୟମନ୍ତ୍ରୀ ରାମେଶ୍ୱର ତେଲିଙ୍କ ଏକ ବିବାଦୀୟ ବୟାନକୁ ନେଇ ରାଜନୀତି ସରଗରମ ହୋଇଥିଲା । ରାମେଶ୍ୱର ତେଲି କହିଥିଲେ କି ହିମାଳୟରେ ଗୋଟିଏ ଲିଟର ପାଣିର ଦାମ ଗୋଟିଏ ପେଟ୍ରୋଲର ଦାମ ଠାରୁ ଅଧିକ ହେଲେ ସେଠିକାର ଲୋକେ କେବେ ପ୍ରତିବାଦ କରିବାର କେହି ଦେଖିନାହିଁ ।