ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅସରଫ ଘନିଙ୍କୁ ଝଟକା । ଦେଶ ଛାଡିବା ପରେ ତାଲିବାନରେ ମିଶିଲେ ଅସରଫ ଘନିଙ୍କ ସାନ ଭାଇ

367

କନକ ବ୍ୟୁରୋ: ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅସରଫ ଘନିଙ୍କୁ ବଡ ଝଟକା । ଦେଶ ଛାଡିବା ପରେ ଅସରଫ ଘନିଙ୍କ ସାନ ଭାଇ ହସମତ ଘନି ଏବେ ତାଲିବାନ ସହ ମିଶିଛନ୍ତି । କାବୁଲ ଅକ୍ତିଆର କରିବା ପରେ ତାଲିବାନ ଶାସନ ଦେଶରେ ଲାଗୁ ହେବା ଜାଣି ସେମାନଙ୍କ ସହ ହାତ ମିଶାଇଛନ୍ତି ଅସମତ । ସେପଟେ କାବୁଲରରେ ଲୋକଙ୍କ ସୁରକ୍ଷା ଦାୟିତ୍ୱ ନେବ ଅନ୍ୟଏକ ଆତଙ୍କୀ ଅନୁଷ୍ଠାନ ହକ୍କାନୀ ନେଟୱର୍କ ।

ଆଫଗାନିସ୍ତାନରେ ତାଲିବାନ ଦଖଲ ପରେ ସେଠାରେ ହିଂସାକାଣ୍ଡ ବଢିବାରେ ଲାଗିଛି । ଏପରି ସମୟରେ ପୂର୍ବତନ ରାଷ୍ଟ୍ରପତି ଅସରଫ ଘନିଙ୍କ ପାଇଁ ଭାଇ ହସମତ ଘନି ତାଲିବାନ ସହ ହାତ ମିଶାଇଛନ୍ତି । ତାଲିବାନ ନେତା ଖଲିଲ ଉର ରେହମାନ ଓ ମୁଫତୀ ମହମୁଦ ଜାକିର ଉପସ୍ଥିତ ଥିଲେ । ତାଲିବାନ ଆତଙ୍କବାଦୀଙ୍କୁ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ହସମତ । ଅସରଫ ଘନି ଦେଶ ଛାଡି ପଳାଇବା ପରେ ସେ ତାଲିବାନୀଙ୍କ ସହ ହାତ ମିଶାଇଛନ୍ତି । ଏହା ପରେ ଅସରଫ ଘନିଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଦେଶଛାଡିବା ପରେ ଅସରଫ ଘାନି ନିଜ ସହ ୪ଟି ମହଙ୍ଗା କାର ଗୋଟିଏ ହେଲିକପ୍ଟର ଏବଂ ବ୍ୟାଗ ଭର୍ତି ଟଙ୍କା ନେଇଯାଇଥିବା ଶୁଣିବାକୁ ମିଳିଥିଲା । ହେଲେ ୟୁଏଇରେ ଥାଇ ଅସରଫ ଭିଡିଓ ଜାରି କରି କହିଥିଲେ, ଗୋଟେ ଯୋଡା ପୋଷାକ ବ୍ୟତିତ ଆଉ କିଛି ବି ନିଜ ସହ ନେଇ ନାହାଁନ୍ତି ।

ଆତଙ୍କବାଦୀ ସଂଗଠନ ହକ୍କାନୀ ନେଟୱର୍କକୁ କାବୁଲର ସୁରକ୍ଷା ଦାୟିତ୍ୱ ଦିଆଯାଇଛି । କାବୁଲରେ ହକ୍କାନୀ ସଙ୍ଗଠନର ପାଖାପାଖି ୬ ହଜାର କମାଣ୍ଡର ମୁତୟନ ହୋଇଛନ୍ତି । ଯାହାର ଦାୟିତ୍ୱ ନେଇଛନ୍ତି ହକ୍କାନୀ ନେଟୱର୍କର ମୁଖ୍ୟ ଏବଂ ତାଲିବାନର ଉପ-ମୁଖ୍ୟ ଅନସ ହକ୍କାନି । ପୂର୍ବରୁ ଆଫଗାନିସ୍ତାନରେ ଅନେକ ହିଂସାକାଣ୍ଡ, ଅପହରଣ ଭଳି ଅନେକ ଜଘନ୍ୟ କାଣ୍ଡ ଭିଆଇଛି ହକ୍କାନୀ ନେଟୱର୍କ । ଅକାରଣରେ ନିରିହ ଲୋକଙ୍କୁ ହତ୍ୟା କରୁଥିବା ଏହି ନେଟୱର୍କ ପୁଣି ନେବ ଲୋକଙ୍କ ସୁରକ୍ଷା ଦାୟିତ୍ୱ ।

ଅଲ କାଏଦା ପରି ଆତଙ୍କବାଦୀ ସଂଗଠନ ସହ ହକ୍କାନୀ ନେଟୱର୍କର ରହିଛି ସଂପର୍କ । ହକ୍କାନୀ ନେଟୱର୍କକୁ ଆମେରିକା ଆତଙ୍କୀ ସଙ୍ଗଠନ ଭାବେ ମଧ୍ୟ ଘୋଷଣା କରିଛି । ଆଉ ଏହି ସଙ୍ଗଠନ ଏବେ କାବୁଲର ସୁରକ୍ଷା ଦାୟିତ୍ୱ କିପରି ତୁଲାଇବ, ତାହା ହିଁ ସବୁଠାରୁ ବଡ ପ୍ରଶ୍ନ?