ଗୋଦରା ଗୋଡ଼ର ସୁନ୍ଦରୀ: ସୌନ୍ଦର୍ଯ୍ୟର ସଂଜ୍ଞା କ’ଣ , ବିଶ୍ୱକୁ ବୁଝାଇଦେଲେ ଏହି ମୋଟା ଗୋଡ଼ର ମଡେଲ । 

367

କନକ ବ୍ୟୁରୋ: ସୌନ୍ଦର୍ଯ୍ୟର ସଂଜ୍ଞା ଓ ପରିଭାଷା କିଏ କେମିତି ବୁଝିବ ତାହା ନିଜର ମାନସିକତା ଉପରେ ନିର୍ଭର କରେ । କଳାଧଳା ଭେଦଭାବକୁ ଜଳାଞ୍ଜଳି ଦେଇ କାହାକୁ କିଏ ମଲିଫୁଲ ଭଳି ବାସିବା ତାହା ନିଜ ବିଚାରଧାରା ଉପରେ ନିର୍ଭର କରେ । ତେବେ ଆଜି ଆମେ ମଡେଲଙ୍କ କାହାଣୀ ବିଷୟରେ ଆପଣଙ୍କୁ ଅବଗତ କରାଇବୁ, ଯିଏ ସୌନ୍ଦର୍ଯ୍ୟର ନୂଆ ସଂଜ୍ଞା ସମଗ୍ର ବିଶ୍ୱ ଆଗରେ ରଖିଛନ୍ତି ।

ମାହୋଗାନି ଗେଟର୍: ୨୩ ବର୍ଷୀୟ ଏହି ମହିଳା ମଡେଲଙ୍କ ଗୋଟିଏ ଗୋଡ ଫୁଲି ରହିଛି । ଲିମ୍ଫେଡେମା ନାଁରେ ତାଙ୍କର ଏକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ରହିଛି । ତାଙ୍କ ବାମ ଗୋଡର ଓଜନ ପ୍ରାୟ ୧୦୦ ପାଉଣ୍ଡ । ଜନ୍ମ ହେବାର କିଛିଦିନ ଭିତରେ ଡାକ୍ତରମାନେ ତାଙ୍କ ଭିତରେ ଏହି ସ୍ୱାସ୍ଥ୍ୟ ସମସ୍ୟାଟିକୁ ଚିହ୍ନଟ କରିଥିଲେ । ତେବେ ଏହି ରୋଗରୁ ସଂପୂର୍ଣ୍ଣ ମୁକ୍ତି ପାଇଁ ଏଯାଏଁ କୌଣସି ଉପଚାର ବାହାରି ନାହିଁ । ଏଥିପାଇଁ ତାଙ୍କୁ ପିଲାଦିନୁ ଅନେକ ଟାହି ଟାପରା ଶୁଣିବାକୁ ପଡିଛି ।

ତେବେ କେବେ ହେଲେ ଏଥିରେ ସେ ହାର ମାନିନାହାନ୍ତି । ବରଂ ମଡେଲିଂକୁ ପେଶା ଭାବରେ ଗ୍ରହଣ କରିଛନ୍ତି । ‘ଡେଲି ମେଲ’ର ରିପୋର୍ଟ ଅନୁସାରେ କେବଳ ଆତ୍ମବିଶ୍ୱାସ ଯୋଗୁଁ ସେ ନିଜକୁ କେବଳ ଭିତରୁ ନୁହେଁ ବାହାରୁ ମଧ୍ୟ ସୁନ୍ଦର ବୋଲି ଭାବନ୍ତି । ନିଜର ଏଭଳି ରୂପ ପାଇଁ ସେ ବାରମ୍ବାର ଲୁଚି ଲୁଚି କାନ୍ଦିଛନ୍ତି । କିନ୍ତୁ ସ୍ୱାର୍ଥପର ସମାଜ ସାମ୍ନାରେ ମନୋବଳକୁ ଦୃଢ କରି ନିଜକୁ ସମ୍ଭାଳି ନେଇଛନ୍ତି । ଆଉ ନିଜକୁ ଭଲପାଇବା ଶିଖିଛନ୍ତି ।

ସୋସିଆଲ ମିଡିଆରେ ତାଙ୍କୁ ନେଇ ଟିକା ଟିପ୍ପଣୀ ହେଉଥିଲେ ମଧ୍ୟ ସେ ଅନ୍ୟ ଦିବ୍ୟାଙ୍ଗଙ୍କୁ ପ୍ରରଣା ଦେବାପାଇଁ ମଡେଲିଂ ଭଳି ପେଶାକୁ ବାଛିଛନ୍ତି । ସେ ନିଜର ଶରୀରକୁ ନେଇ ଗର୍ବ କରନ୍ତି । ପ୍ରଥମେ ନିଜକୁ ଭଲପାଇବା ପାଇଁ ଅନ୍ୟମାନଙ୍କୁ ଉପଦେଶ ଦିଅନ୍ତି । ତେବେ ସୋସିଆଲ ମିଡିଆରେ କେବଳ ତାଙ୍କୁ ସମାଲୋଚନା କରାଯାଉ ନାହିଁ । ଇନଷ୍ଟାଗ୍ରାମରେ ତାଙ୍କର ୧୪ ହଜାର ଫଲୋୟରର୍ସ ଅଛନ୍ତି । ଟିକଟକରେ ତାଙ୍କୁ ୩୪ ହଜାର ଲୋକ ଦେଖିବାକୁ ପସନ୍ଦ କରନ୍ତି । ତାଙ୍କର ଏକ ୟୁ-ଟ୍ୟୁବ ଚ୍ୟାନେଲ ମଧ୍ୟ ଅଛି ।