କନକ ବ୍ୟୁରୋ: ପୁରୀ ରାଜଭବନରେ ମାଡ ଖାଇଥିବା ଏଏସଓ ମାମଲା ଭିନ୍ନ ମୋଡ ନେଇଛି । ମାଡ ଖାଇଥିବା ନେଇ ରାଜ୍ୟପାଳଙ୍କ ପୁଅ ବିରୋଧରେ ଅଭିଯୋଗ ଆଣିଥିବା ଏଏସଓ ବୈକୁଣ୍ଠନାଥ ପ୍ରଧାନଙ୍କୁ ଗୃହ ବିଭାଗକୁ ବଦଳି କରାଯାଇଛି । ତାଙ୍କୁ ଗୃହ ବିଭାଗକୁ ବଦଳି ହୋଇଥିବା ନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ଅନ୍ୟପଟେ ଏଏସଓଙ୍କୁ ମାଡ ମାମଲାରେ କି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ସେ ସଂପର୍କରେ ରାଜଭବନ ପକ୍ଷରୁ କୌଣସି ସୂଚନା ମିଳିନାହିଁ ।
ରାଜ୍ୟପାଳଙ୍କ ପୁଅ ଗାଡ଼ି ପାଇଁ ଏଏସଓଙ୍କୁ ପୁରୀରେ ମାଡ ମାରିଥିବା ଅଭିଯୋଗ ସାମ୍ନାକୁ ଆସିବା ପରେ ବିବାଦ ବଢିଥିଲା । ଏହି ଘଟଣାକୁ ନେଇ ରାଜ୍ୟପାଳ ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ବିରୋଧୀ । କଂଗ୍ରେସ ପକ୍ଷରୁ ରାଜଭଭନ ସାମ୍ନାରେ ବିରୋଧ ମଧ୍ୟ ପ୍ରଦର୍ଶନ କରାଯାଇଥିଲା । ବିବାଦ ବଢିବା ପରେ ରାଜ୍ୟପାଳ ଏଏସଓଙ୍କ ଡକାଇ କାର୍ୟ୍ୟାନୁଷ୍ଠାନ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଅଭିଯୁକ୍ତଙ୍କ ବିରୋଧରେ କି କାର୍ୟ୍ୟାନୁଷ୍ଠାନ ନିଆଗଲା ତାହା ଜଣାପଡି ନାହିଁ । କିନ୍ତୁ ଏହାରି ଭିତରେ ମାଡ ଖାଇଥିଲା ଏଏସଓ ବୈକୁଣ୍ଠନାଥ ପ୍ରଧାନଙ୍କୁ ଗୃହ ବିଭାଗକୁ ବଦଳି କରି ଦେଇଛନ୍ତି ରାଜ୍ୟ ସରକାର ।