କନକ ବ୍ୟୁରୋ: ଶିକ୍ଷାର ନା ଥାଏ ଧର୍ମ ନା ଥାଏ ଜାତି । ଉଚ୍ଚ-ନୀଚ୍ଚ କି ଧନୀ ଗିରବ ଏସବୁକୁ ଦେଖେନି ବିଦ୍ୟା । ଆମେ ଏକଥା ଏଥିପାଇଁ କହୁଛୁ କାରଣ ଗୋଟିଏ ଛୋଟ ଗାଁର ଜଣେ ମୁସଲମାନ ଯୁବତୀ ସଂସ୍କୃତ ବ୍ୟାକରଣ (ଆଚାର୍ଯ୍ୟ) ବିଷୟବସ୍ତୁରେ ଟପ୍ କରିବା ସହ ପ୍ରଥମ ମୁସଲମାନ ଯୁବତୀ ଭାବେ ହାସଲ କରିଛନ୍ତି ଗୋଲ୍ଡ ମେଡାଲ । ଯାହା ଏବେ ଜାତୀୟ ଗଣମାଧ୍ୟମ ସହ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।
Advertisment
ଶିକ୍ଷା ସାମ୍ନାରେ ଥିବା ସମାଜର ପାଚେରୀ, ଜାତି ଧର୍ମ ଓ ଭେଦଭାବକୁ ଭାଙ୍ଗିଦେଇଥିବା ଯୁବତୀ ହେଉଛନ୍ତି ରାଜସ୍ଥାନ ମାଧୋପୁରର ଏକ ଛୋଟ ଅଞ୍ଚଳ ସାୱାଇରେ ରହୁଥିବା ଅସମତ୍ ପରବିନ୍ । ଜଣେ ମୁସଲିମ୍ ହୋଇ ମଧ୍ୟ ସଂସ୍କୃତରେ ପାଣ୍ଡିତ୍ୟ ଅର୍ଜନ କରିବା କିଛି ସହଜ କଥା ନୁହେଁ । ହେଲେ ଏହାପଛରେ ଅସମତ୍ କରିଛନ୍ତି ଅନେକ ସଂଘର୍ଷ, ଆଉ ତାଙ୍କ କାହାଣୀ ଜୀବନ ଯୁଦ୍ଧରେ ଭାଙ୍ଗିଯାଉଥିବା ପ୍ରତିଟି ବ୍ୟକ୍ତି ପାଇଁ ଉଦାହରଣ ପାଲଟିବ ।
ଅସମତ କୁହନ୍ତି ସେ ଯେତେବେଳେ ପରୀକ୍ଷା କେନ୍ଦ୍ରରେ ୫ ମିନିଟ୍ ବିଳମ୍ବରେ ପହଞ୍ଚିଲେ ତାଙ୍କୁ ପରୀକ୍ଷା ଦେବାକୁ ଅନୁମତି ମିଳିଲା ନାହିଁ । ଆଉ ବରଂ ପରୀକ୍ଷା ଆରମ୍ଭର ଅଧଘଣ୍ଟା ପରେ ତାଙ୍କୁ ପରୀକ୍ଷା କେନ୍ଦ୍ରରେ ବସିବାକୁ ଅନୁମତି ମିଳିଥିଲା । ଆଉ ଏହାପରେ ସେ ପଛକୁ ଫେରି ଚାହିଁନଥିଲେ, ବର୍ଷ ବର୍ଷ ଧରି ସଂସ୍କୃତରେ ଏକ ପ୍ରକାରର ଡିଗ୍ରୀ ହାସଲ କରିବା ପାଇଁ ଅସମତ୍ ଅସମ୍ଭବକୁ ସମ୍ଭବରେ ପରିଣତ କରିଦେଇଛନ୍ତି । ରାଜସ୍ଥାନର ଜଗଦଗୁରୁ ରାମାନନ୍ଦଚାର୍ଯ୍ୟ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ‘ଆଚାର୍ଯ୍ୟ’ ବିଷୟରେ ଟପ୍ କରିଛନ୍ତି ଅସମତ୍ । ତେବେ ଏଥିରେ ୧୪ ଜଣଙ୍କ ନାଁ ରହିଥିବାବେଳେ ଅସମତ୍ ଏକମାତ୍ର ମୁସଲମାନ ଭାବେ ସଂସ୍କୃତରେ ପାଣ୍ଡିତ୍ୟ ଅର୍ଜନ କରିଛନ୍ତି ।
ତେବେ ଅସମତଙ୍କ ବାପା ମଞ୍ଜୁର ଆଲମ୍ ପେଶାରେ ଜଣେ ଶିକ୍ଷକ । ସୱାଇର ଏକ ସରକାରୀ ବିଦ୍ୟାଳୟରେ ପାଠପଢ଼ାନ୍ତି ଅସମତଙ୍କ ବାପା । ଘରର ୭ ଝିଅଙ୍କ ମଧ୍ୟରୁ ଅସମତ ହେଉଛନ୍ତି ତୃତୀୟ ବା ମଝିଆଁ ଝିଅ । ପିଲାଟି ଦିନରୁ ତାଙ୍କୁ ହିନ୍ଦୁ ଧର୍ମର ପୁରାଣ ପ୍ରତି ତାଙ୍କର ଆଗ୍ରହ ରହିଥିଲା । ପରେ ପରେ ତାଙ୍କ ବାପା ବିଦ୍ୟା ଆଗରେ ସମାଜ ଟାଣିଥିବା ସୀମାରେଖାକୁ ପାର୍ କରି ତାଙ୍କ ଝିଅକୁ ସଂସ୍କୃତ ପଢ଼ାବା ପାଇଁ ପ୍ରୋତ୍ସାହିତ କଲେ । ଯାହାର ଫଳ ଆଜି ସେ ଗୋଲ୍ଡ ମେଡାଲ ପାଇବା ସହ ସଂସ୍କୃତରେ ଅଗାଧ୍ୟ ପାଣ୍ଡିତ୍ୟ ଅର୍ଜନ କରିଛନ୍ତି । ଅସମତଙ୍କ ଏଭଳି କୃତିତ୍ୱକୁ ନେଇ ପରିବାରବର୍ଗଙ୍କଠୁ ସହପାଠୀ ସଭିଏଁ ବେଶ୍ ଖୁସି ପ୍ରକାଶ କରିଛନ୍ତି ।
ସବୁଠାରୁ ବଡ଼କଥା ହେଲା, ଜଣେ ମୁସଲମାନ ହୋଇ ମଧ୍ୟ ସଂସ୍କୃତକୁ ନିଜ ନିଶ୍ୱାସ-ପ୍ରଶ୍ୱାସ ଭାବି ସେଥିରେ ବଞ୍ଚିବା ହିଁ ଏତେବଡ଼ ସଫଳତାର ସୂତ୍ର । ଆଜି ବି ଦେଶର ଅନେକ ଆଗାମୀ ଭବିଷ୍ୟତଙ୍କ ସ୍ୱପ୍ନ, କେବଳ ଜାତି ଧର୍ମକୁ ନେଇ ବିଦ୍ୟା ଆଗରେ ଛିଡ଼ା ହୋଇଥିବା ବାଡ଼ ପାଇଁ ବଳି ପଡ଼ିଯାଉଛି । ଆଉ ଏହାରି ଭିତରେ ଅସମତଙ୍କ ‘ଆଚାର୍ଯ୍ୟ’ ଡିଗ୍ରୀ ଅନେକଙ୍କ ପାଇଁ ପାଲଟିବ ପ୍ରେରଣାର ଏକ ସମୂଦ୍ର ।